ଗ୍ରୀଷ୍ମ ପ୍ରବାହ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ; ଅତ୍ୟାବଶ୍ୟକ ପ୍ରସ୍ତୁତିର କରିଲେ ସମୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ସରକାରଙ୍କୁ ମିଳିମିଶି କାମ କରିବାକୁ ସେ ନିବେଦନ କରିଛନ୍ତି। ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଙ୍କୁ ଏପ୍ରିଲ-ଜୁନ୍ ମାସରେ ଦେଶର ଅଧିକାଂଶ ସ୍ଥାନରେ ଅତ୍ୟଧିକ ଗରମ ପାଗ ହେବାର ସମ୍ଭାବନା ବିଷୟରେ ଅବଗତ କରାଯାଇଥିଲା।

ବୈଠକରେ ଅତ୍ୟାବଶ୍ୟକ ଔଷଧ, ଆଇସ୍ ପ୍ୟାକ୍, ଓଆରଏସ୍ ଓ ପାନୀୟ ଜଳର ଉପଲବ୍ଧତା ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ୨୦୨୪ ବର୍ଷ ଆଶାଠାରୁ ଅଧିକ ଗରମ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ, ଯାହାଦ୍ୱାରା ଏହା ଲୋକଙ୍କ ପାଖରେ ବ୍ୟାପକ ଭାବରେ ପହଞ୍ଚିପାରିବ ବୋଲି ଅନୁଭବ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସମସ୍ତ ମନ୍ତ୍ରଣାଳୟ ସହିତ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ସରକାରଙ୍କୁ ଆବଶ୍ୟକ ସମନ୍ୱୟ ସହିତ କାମ କରିବାକୁ ପଡିବ ।