ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ଏକ ବୟାନ ପାକିସ୍ତାନର ନିଦ ହଜାଇ ଦେଇଛି । ସେ କହିଛନ୍ତି ପାକିସ୍ତାନ କବଜାରେ ଥିବା କାଶ୍ମୀର କିଛି ସମୟ ମଧ୍ୟରେ ସ୍ୱତଃ ଭାରତ ସହ ମିଶିଯିବ । ସେ ଏହି ଟିପ୍ପଣୀ ଏହି ସମୟରେ ଦେଇଛନ୍ତି ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ପିଓକେ ଲୋକମାନଙ୍କର ଦାବୀ ରହିଛି ଯେ, ସେମାନଙ୍କ ଅଞ୍ଚଳକୁ ଭାରତ ସହ ମିଶାଯାଉ ବୋଲି । ଏହି ପ୍ରସଙ୍ଗ ଉପରେ ବିଜେପିର ନୀତି କ’ଣ ରହିଛି ?
କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହ ରାଜସ୍ଥାନର ଦୌସାରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଗଣମାଧ୍ୟମ ସହ କଥାବର୍ତ୍ତା ସମୟରେ କହିଛନ୍ତି ପିଓକେ ସ୍ୱତଃ ଭାରତ ସହ ମିଶିଯିବ । ଆଉ ମାତ୍ର କିଛି ଦିନ ଅପେକ୍ଷା କରନ୍ତୁ । ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଚୀନ୍ ପକ୍ଷରୁ ନୂଆ ମାନଚିତ୍ର ଜାରି କରାଯାଇଛି । ତେବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନ୍ର ନୂଆ ମାନଚିତ୍ର ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଚୀନ୍ର ଏହା ପୁରୁଣା ଅଭ୍ୟାସ । ଅନ୍ୟପକ୍ଷରେ ପିଓକେକୁ ନେଇ ସେ କହିଥିଲେ ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚୀନ୍ ସେହିସବୁ କ୍ଷେତ୍ରକୁ ନେଇ ମାନଚିତ୍ର ଜାରି କରିଥିଲା ଯାହା ଭାରତର ଅଂଶ ଅଟେ ।