fbpx

ବାଇକ୍ ଯାଞ୍ଚ କରିବାକୁ ଆସି ପୋଲିସ ହଟହଟା: ଆଇଆଇସିଙ୍କୁ ମାଡ଼

ପୁରୀ, ୧୭ା୧ (ଓଡିଶା ଭାସ୍କର): ବାରମ୍ବାର ପୋଲିସ ଅବହେଳାର ଶିକାର ହୋଇଆସୁଥିବା ଗୋଟିଏ ପରିବାରର ଅସେନ୍ତାଷ ଶେଷରେ ଉଗ୍ରରୂପ ଧାରଣ କରିଛି । ଏହି ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଆଇଆଇସି । ବାଇକ ଯାଞ୍ଚକୁ ନେଇ ଲଳିତା ବେହେରାଙ୍କ ପରିବାର ଲୋକ ଓ ଆଇଆଇସିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ଜଣେ ଶିଶୁକନ୍ୟା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ ଆଇଆଇସିଙ୍କୁ ମାଡ଼ ମରାଯାଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି କୁମ୍ଭାରପଡ଼ା ଆଇଆଇସି ବିଚିତ୍ରାନନ୍ଦ ସେଠୀ ଅପରାଧିକ ମାମଲାରେ ଏକ ବାଇକକୁ ଯାଞ୍ଚ କରିବାକୁ ନରେନ୍ଦ୍ରକୋଣରେ ପହଞ୍ଚିଥିଲେ । ଲଳିତାଙ୍କ ବଡ଼ପୁଅ ରଞ୍ଜିତ ବାଇକରେ ବସିଥିବା ସମୟରେ ଆଇଆଇସିଙ୍କ ସହିତ ଯୁକ୍ତିତର୍କ ହୋଇ ପରବର୍ତ୍ତୀ ମୁହୂର୍ତ୍ତରେ ଠେଲାପେଲା ହୋଇଥିଲା । ଏହି ସମୟରେ ଲଳିତାଙ୍କ ଅନ୍ୟ ଦୁଇ ପୁଅ ସଞ୍ଜିତ, ଅଜିତ ଓ ଝିଅ ଅନ୍ନପୂର୍ଣ୍ଣା ସେଠାରେ ପହଞ୍ଚିଥିଲେ । ଠେଲାପେଲାରେ ଅନ୍ନପୂର୍ଣ୍ଣାଙ୍କ କୁନି ଝିଅ ଆହତ ହୋଇଥିଲା ।

ଖବର ପାଇ ସିଟି ଡିଏସପି କ୍ଷୀରସାଗର ନାୟକ ଓ ସମସ୍ତ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲେ । ତେବେ ପୂର୍ବରୁ ଲଳିତାଙ୍କ ପରିବାର ପୋଲିସ ପାଖରୁ ଏକ ଘଟଣାରେ ନ୍ୟାୟ ପାଇନଥିବା ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.