fbpx

ଉପାସରେ ଶୋଇବନି ଗରିବ: ୫ ଟଙ୍କାରେ ମିଳିବ ଜଳଖିଆ, ୧୦ ଟଙ୍କାରେ ପେଟପୂରା ଭୋଜନ ଦେବେ ସରକାର, ପ୍ରତିଦିନ ବଦଳିବ ମେନୁ

ନୂଆଦିଲ୍ଲୀ: ଆଜିର ମହଙ୍ଗା ଯୁଗରେ ଲୋକମାନେ ସର୍ବଦା ଶସ୍ତା ଅଫର ଅନ୍ୱେଷଣରେ ରହିଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଏପରି ଅନେକ ସୁବିଧା ଲୋକମାନେ ପାଇଥାନ୍ତି । ତେବେ ଆପଣମାନଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଛି । ମାତ୍ର ୫ ଟଙ୍କାରେ ଆପଣମାନେ ଟିଫିନ୍ ପାଇ ପାରିବେ । ଖାଲି ସେତିକି ନୁହେଁ ୧୦ ଟଙ୍କା ଖର୍ଚ୍ଚ କରି ଖୁସିରେ ଭୋଜନ ଖାଇ ପାରିବେ ।

ସୂଚନା ମୁତାବକ, କର୍ଣ୍ଣାଟକ ସରକାର ଏଭଳି ଏକ ଯୋଜନା ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି । ପୂର୍ବରୁ କଂଗ୍ରେସ ସରକାର ଅମଳରେ ରାଜ୍ୟରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ ହୋଇଥିଲା । ମାତ୍ର ବିଜେପି ସରକାର ଆସିବା ପରେ ଏହି କ୍ୟାଣ୍ଟିନକୁ ବନ୍ଦ କରି ଦିଆଯାଇଥିଲା । ତେବେ ନିକଟରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ସହିତ ସିଦ୍ଧରମୈୟା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଣୁ ରାଜ୍ୟ ସରକାର ପୁଣି ଥରେ ଇନ୍ଦିରା କ୍ୟାଣ୍ଟିନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି କ୍ୟାଣ୍ଟିନରେ ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଇବାକୁ ଦିଆଯାଇଥାଏ । କ୍ୟାଣ୍ଟିନରେ ଜଳଖିଆର ଦାମ୍ ୫ ଟଙ୍କା ରହିଥିବା ବେଳେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଉଛି ଏହି କ୍ୟାଣ୍ଟିନରେ ପ୍ରତ୍ୟେକ ଦିନ ମେନୁ ପରିବର୍ତ୍ତନ ହୋଇଥାଏ । ଜଳଖିଆରେ ଲୋକଙ୍କୁ ଉପମା, ଇଡଲି ଆଦି ପରସାଯିବ । କ୍ଷମତାକୁ ଆସିଲେ କ୍ୟାଣ୍ଟିନକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ କଂଗ୍ରେସ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । ତେଣୁ ସରକାର ଗଠନ ହେବା ପରେ କଂଗ୍ରେସ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଅନେକ ଗରିବ ଶ୍ରେଣୀର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.