କଟକ: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ତଥା ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ପରଲୋକ ଘଟିଛି। ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ଓଡ଼ିଆ ସିନେମା ଓ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।
ତୃପ୍ତି ବିଶ୍ୱାଳ ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ‘ସୁନା କଳସ’ ସମେତ ଅନେକ ଲୋକପ୍ରିୟ ମେଗା ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ। ତୃପ୍ତି ବିଶ୍ୱାଳ ‘ଜୟ ଶ୍ରୀରାମ’ ଶୀର୍ଷକରେ ଏକ ସିନେମାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ସିନେମାରୁ ଆଜିକାର ଜଣାଶୁଣା ଅଭିନେତା ବବି ମିଶ୍ର ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଲୋକପ୍ରିୟ ଭୋଜପୁରୀ ନାୟିକା ମୋନାଲିସା ନାୟିକା ଭୂମିକା ନିଭାଇଥିଲେ।
ଏହାଛଡ଼ା ମିହିର ଦାସ, ରାଇମୋହନ ଓ ଉଷସୀ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା। ଡକ୍ଟର ସୁବୋଧ ପଟ୍ଟନାୟକ ଏହାର ସଂଳାପ ଲେଖିଥିବା ବେଳେ ଅମରେନ୍ଦ୍ର ମହାନ୍ତି ଏହାର ସଙ୍ଗୀତକାର। ତେବେ ସିନେମା ଓ ଧାରାବାହିକ ଅପେକ୍ଷା ଯଲିଉଡରେ ସେ ଅଧିକ ନାଆଁ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ‘କେମିତି କହିବି ଏମିତି କଥା’, ‘ତୋ ନାଆଁରେ ମୋ ନାଆଁକୁ ଦେଇଛି ଯୋଡ଼ି’, ଏତେ ସରି ତତେ କିଏ କଲା ଓ ‘ମିଛୁଆ ରାଧୁଆ ଗପ ସରିଲା’ ସମେତ ବହୁ ନାଟକ ସୁପରହିଟ୍ ହୋଇଥିଲା।