ଦୀପାବଳିରେ ଦୁର୍ଗମ ଅଞ୍ଚଳରେ ଡ୍ରୋନ୍ ପହଞ୍ଚାଇବା ଚିଠି, ଗିଫ୍ଟ…, ଡାକ ବିଭାଗ ଆରମ୍ଭ କଲା ନିଆରା ପଦକ୍ଷେପ

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବର ମଜା ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଦ୍ୱିଗୁଣିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସାଧାରଣତଃ ପର୍ବପର୍ବାଣୀ ସମୟରେ ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ପିଠା ପଣା, ମିଠା, ନମକିନ୍ ଇତ୍ୟାଦି ପ୍ରସ୍ତୁତ କରାଯାଇଥାଏ । ଏହି ସମୟରେ ବନ୍ଧୁବାନ୍ଧବ ପରସ୍ପର ଘରକୁ ମିଠା ନେଇ ଯାଇଥାନ୍ତି । ସେମାନେ ପରସ୍ପରକୁ ଭେଟି ପର୍ବର ଶୁଭେଚ୍ଛା ଜଣାଇଥାନ୍ତି ଓ ମଜା କରିଥାନ୍ତି । ଏଥିମଧ୍ୟରେ ଅରୁଣାଚଳ ପ୍ରଦେଶର ଡାକ ବିଭାଗ ପକ୍ଷରୁ ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଚିଠି ବିତରଣ କରିବା ପାଇଁ ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି ।

ଅରୁଣାଚଳ ପ୍ରଦେଶର ଡାକ ବିଭାଗ ଏକ ବିବୃତ୍ତିରେ ‘ପ୍ରୁଫ୍ ଅଫ୍ କନସେପ୍ଟ’(POC) ପ୍ରୋଜେକ୍ଟ ଅନ୍ତର୍ଗତ ଦୁର୍ଗତ ଓ ପାହାଡ଼ିଆ ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଚିଠି ପହଂଚାଇବା ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି । ପ୍ରୋଜେକ୍ଟର ସମ୍ଭାବ୍ୟତାକୁ ସଫଳ ରୂପାୟନ ଦେବା ଉଦ୍ଦେଶ୍ୟରେ ଡାକ ବିଭାଗ POCର ସଞ୍ଚାଳନ ପାଇଁ ସ୍କାଇ ଏୟାର ମୋବିଲିଟି ସହ ଚକ୍ତି କରିଛି । ଏହା ପରେ ଚିଠି, ଗିଫ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବା ପାଇଁ ଡ୍ରୋନ୍ ବ୍ୟବହାରର ବିସ୍ତାର କରାଯିବ । ଚଳିତ ବର୍ଷ ଅକ୍ଟୋବର ୨୧ରୁ ଅରୁଣାଚଳ ପ୍ରଦେଶର ନାମସାଇ ଏବଂ ଲୋହିତ ଜିଲ୍ଲା ସ୍ଥିତ ଚୋଖମ୍ ଡାକଘର ଏବଂ ନାମସାଇ ସ୍ଥିତ ୱାକରୋ ବ୍ରାଞ୍ଚ୍ ମଧ୍ୟରେ ଚିଠି ପଠାଇବାକୁ ନେଇ POC ଆରମ୍ଭ କରାଯାଇଥିଲା । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ଚୋଖମ ଡାକଘରୁ ଏକ ଡ୍ରୋନ୍ ସକାଳ ୧୦ଟା ୪୦ରେ ବାହାରିଥିଲା ଏବଂ ୱାକରୋ ବ୍ରାଞ୍ଚ୍ ଡାକଘରେ ସକାଳ ୧୧ଟା ୦୨ରେ ପହଞ୍ଚିଥିଲା । ଏହି ଦୁଇଟି ଡାକଘର ମଧ୍ୟରେ ଚିଠି ବିତରଣ ପାଇଁ ପ୍ରାୟ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗୁଥିଲା । ବର୍ତ୍ତମାନ ଡ୍ରୋନ୍ ଦ୍ୱାରା ସମୟର ସଞ୍ଚୟ ହେବ ।