fbpx

ଚାକିରି ଖାଇବ ରୋବଟ୍, ୱେଟର ପରେ ଏବେ ସିକ୍ୟୁରିଟି ଗାର୍ଡ ପଦବୀରେ

ନୂଆ ଦିଲ୍ଲୀ:ସେଦିନ ଆଉ ଦୂର ନାହିଁ ଯେବେ ରୋବଟ ଲୋକଙ୍କ ଚାକିରି ଛଡାଇ ନେବ । ଏହାର ସୂଚନା ବହୁ ବର୍ଷ ପୂର୍ବରୁ ମିଳିବାରେ ଲାଗିଛି । ଲଗାତର ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବିକାଶ କାରଣରୁ ଏହି ଆଶଙ୍କା ଆହୁରି ସୁଦୃଢ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ଆମେ ଏପରି ଖବର ଜାଣିଥିଲେ ଯେ, ରୋବଟସ୍ ୱେଟର କାମ କରୁଛି କିମ୍ବା ଏୟାରପୋର୍ଟସରେ ଲୋକଙ୍କୁ ସ୍ୱାଗତ କରୁଛି । କିନ୍ତୁ ଏବେ ଖବର ମିଳୁଛି ଯେ, ରୋବଟ୍ ସିକ୍ୟୁରିଟି କାମରେ ବି ନିୟୋଜିତ ହେଲାଣି ।

ଏକ ରିପୋର୍ଟରୁ ଜଣାଯାଇଛି ଯେ, ଏହି ରୋବଟକୁ ଅବିକଳ ମଣିଷ ପରି ତିଆରି କରିବାକୁ ଚେଷ୍ଟା କରାଯାଇଛି । ଏହି ରୋବଟକୁ ୧ଏକ୍ସ ନାମକ କମ୍ପାନୀ ତିଆରି କରିଛି । ଏହାକୁ ‘ହ୍ୟୁମାନଏଡ୍ ଇଭେ ରୋବଟ୍’ କୁହାଯାଉଛି । ଏହା ଏଆଇ ଜରିଆରେ କାମ କରୁଛି । ଏହାକୁ ସିକ୍ୟୁରିଟି ଗାର୍ଡ ଅର୍ଥାତ୍ ନିରାପତ୍ତା ରକ୍ଷୀ ଭାବେରେ ନିୟୋଜିତ କରାଯାଇଛି । କମ୍ପାନୀ କହିଛି ଏହି ରୋବଟର ମଣିଷ ପରି ହାତ, ଗୋଡ, ଶରୀର ଓ ମସ୍ତିଷ୍କ ବି ରହିଛି । ଏହି ରୋବଟ୍ ଏପ୍ରିଲ ମାସ ଆରମ୍ଭରୁ କାମ କରିବା ଆରମ୍ଭ କରିଛି ।

ଏହି ରୋବଟର କାମ ହେଉଛି ନରୱେ ଓ ଡଲାସର ଇଣ୍ଡଷ୍ଟ୍ରିଆଲ୍ ସାଇଟରେ ନିର୍ମିତ ହେଉଥିବା ଆଣ୍ଡ୍ରଏଡ୍ ଉପରେ ଦୃଷ୍ଟି ରଖିବା । ଆଣ୍ଡ୍ରଏଡ୍ ଅନିୟନ୍ତ୍ରିତ ହେବା ସ୍ଥିତିରେ ଏହି ରୋବଟ୍ ଏହାକୁ ଭର୍ଚୁଆଲ୍ ରିଅଲିଟି ମାଧ୍ୟମରେ ସମ୍ଭାଳି ନେଇଥାଏ । ଏଥିପାଇଁ ରୋବଟ୍ କ୍ୟାମେରା ସିଷ୍ଟମ ଓ ଆଲାର୍ମ ସେନସରର ଉପଯୋଗ କରିଥାଏ । ଏହାଦ୍ୱାରା ଜଣାପଡୁଛି ଯେ ଏହାକୁ ଯେଉଁ କାମ ଲାଗି ନିୟୋଜିତ କରାଯାଇଛି ତାହା ସେ ସଠିକ୍ ଭାବରେ ସମ୍ପାଦନ କରିପାରୁଛି କି ନା । ଏହି ରୋବଟର ହାତ ସଂପୂର୍ଣ୍ଣ ଭାବରେ ମଣିଷ ପରି କାମ କରି ପାରୁଛି । ଏହା ହାତରେ ବିଭିନ୍ନ ଜିନିଷ ଉଠାଇବା ସହ ଦ୍ୱାର ବି ଖୋଲି ପାରୁଛି । ସଂପୂର୍ଣ୍ଣ ଭାବରେ ମଣିଷ ପରି କାର୍ଯ୍ୟ କରୁଥିବା ଏହି ରୋବଟକୁ ଦେଖି ଏବେ ଅନୁମାନ କରାଯାଉଛି ଯେ, ଭବିଷ୍ୟତରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ କରାଯିବ । ଯେପରିକି ସ୍ୱ୍ୟାସ୍ଥ ସେବା ଓ ହସ୍ପିଟାଲିଟି । ଏହି ରୋବଟକୁ ନିର୍ମାଣ କରିଥିବା ୧ ଏକ୍ସ କମ୍ପାନୀର ସିଇଓ ତଥା ସଂସ୍ଥାପକ ବର୍ନଟ୍ ଭୋରାନିଚ୍ କହିଛନ୍ତି, ଏହାକୁ ନେଇ ଆମର ଏକ ବଡ ଭିଜନ ରହିଛି । ଶ୍ରମିକ ଅଭାବ ସମସ୍ୟାର ନିରାକରଣ ଲାଗି ଏହି ରୋବଟର ଉପଯୋଗ କରାଯିବ ।

Get real time updates directly on you device, subscribe now.