(Video) ବ୍ୟାଟିଂରେ ଦମଦାର, ବୋଲିଂରେ ଖତରନାକ… ଏକା ସାଙ୍ଗରେ ୫ଟି ୱିକେଟ: ମିଳିଲା ନୂଆ ପରିଚୟ

ନୂଆଦିଲ୍ଲୀ: ବିଶ୍ୱର ଟପ୍ ରାଙ୍କିଙ୍ଗରେ ଥିବା ବ୍ୟାଟର ଆଜି ଏକ ନୂଆ ରୂପ ଦେଖାଇଛନ୍ତି । ନିଜ ଦମଦାର ବ୍ୟାଟିଂ ପାଇଁ ପରିଚିତ ଏହି ଷ୍ଟାର ବ୍ୟାଟର ଆଜି ଦେଖାଇଛନ୍ତି ନିଜ ବୋଲିଂର ଜଲୱା । ଗୋଟିଏ ମ୍ୟାଚରେ ଏକାସାଙ୍ଗରେ ୫ଟି ୱିକେଟ ନେଇ ଦଳକୁ ଦେଇଛନ୍ତି ବିଶାଳ ବିଜୟ । କେବଳ ବ୍ୟାଟିଂ ନୁହେଁ, ଏବେ ବୋଲିଂରେ ବି କମାଲ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ମାର୍ନସ ଲାବୁସେନ୍ । ବ୍ୟାଟିଂରେ ଅନେକ ରେକର୍ଡ କରିଥିବା ଲାବୁସେନଙ୍କ ବୋଲିଂ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଟି-୨୦ ବ୍ଲାଷ୍ଟରେ ଏକ ନୂଆ ପରିଚୟ ପାଇଛନ୍ତି ମାର୍ନସ ଲାବୁସେନ୍ ।

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ମାର୍ନସ ଲାବୁସେନ୍ ନିଜ ଧୂଆଁଧାର ବ୍ୟାଟିଂ ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । କିନ୍ତୁ ଟି-ବ୍ଲାଷ୍ଟରେ ସେ ବୋଲିଂରେ ଦଳକୁ ବିଜୟୀ କରାଇଛନ୍ତି । ଆଜି ଟୁର୍ଣ୍ଣାମେଣ୍ଟରେ ସମରମେଟ ଏବଂ ଗ୍ଲାମର୍ଗନ ମଧ୍ୟରେ ହୋଇଥିବା ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ମାର୍ନସ ଲାବୁସେନ୍ । ଗ୍ଲାମର୍ଗନ ତରଫରୁ ଖେଳୁଥିବା ଲାବୁସେନ୍ ସମରମେଟକୁ ନିଜ ବୋଲିଂ ଯାଦୁରେ ପରାଜୟର ସ୍ୱାଦ ଚଖାଇଛନ୍ତି । ଏହି ମ୍ୟାଚରେ ସେ ମୋଟ ୫ଟି ୱିକେଟ ହାସଲ କରିଛନ୍ତି । ଏହି ମ୍ୟାଚରେ ମାତ୍ର ୧୧ ରନ୍ ଦେଇ ୫ଟି ସଫଳତା ନିଜ ନାମରେ କରିଛନ୍ତି ଲାବୁସେନ୍ । ମାତ୍ର ୨.୩ ଓଭରରେ ୫ଟି ସଫଳତା ସହ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଷ୍ଟାର କ୍ରିକେଟର ମାର୍ନସ ଲାବୁସେନ୍ ।

ପ୍ରଥମେ ବ୍ୟାଟିଂ କରି ସମରମେଟକୁ ୨୪୩ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା ଗ୍ଲାମର୍ଗନ । ଏହି ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ସମରମେଟ ଲାବୁସେନଙ୍କ ଜାଲରେ ଫସି ଯାଇଛି । ଲାବୁସେନଙ୍କ ଖତରନାକ ବୋଲିଂ ସ୍ପେଲ ଗ୍ଲାମର୍ଗନକୁ ଏକ ବିଶାଳ ବିଜୟ ଭେଟି ଦେଇଛି । ଏହି ମ୍ୟାଚରେ ୨.୩ ଓଭର ବୋଲିଂ କରି ୧୧ ରନ୍ ବ୍ୟୟରେ ୫ଟି ୱିକେଟ ନିଜ ନାମରେ କରିଛନ୍ତି ମାର୍ନସ ଲାବୁସେନ୍ । ଫଳରେ ଗ୍ଲାମର୍ଗନ ଏହି ମ୍ୟାଚକୁ ୧୨୦ ରନର ଏକ ବୃହତ୍ ବିଜୟ ହାସଲ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.