ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରୁ ଆସିଛି ଏକ ବଡ଼ ଖବର । ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଛି ଲୋକ ଏକ ହୋଟେଲରୁ ଉଠାଇ ନେଇଛନ୍ତି । ରାୟଗଡ଼ାର ଏକ ହୋଟେଲରୁ ତାଙ୍କୁ ୩-୪ ଜଣ ବ୍ୟକ୍ତି ଉଠାଇ ନେଇଥିବା ଜଣାପଡ଼ିଛି । ତେବେ ପୋଲିସ ନା ଅନ୍ୟ କେହି ତାଙ୍କୁ ଉଠାଇ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପ୍ରଫୁଲ୍ଲଙ୍କୁ ଉକ୍ତ ବ୍ୟକ୍ତିମାନେ ଏକ ଗାଡ଼ିରେ ବସାଇ ନେଇଯାଇଥିବା କୁହାଯାଉଛି ।
ତେବେ ପ୍ରପୁଲ୍ଲଙ୍କୁ ଅଚାନକ ଉଠାଇନେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ରାୟଗଡ଼ାର ହୋଟେଲରୁ ପ୍ରଫୁଲ୍ଲ କୁଆଡ଼େ ଗଲେ ଏବେ ସେହି ପ୍ରଶ୍ନ ସଭିଙ୍କ ମନରେ ଘାରିଛି । ଆଜି ଅପରାହ୍ଣ ୩ଟା ଭିତରେ କିଛି ବ୍ୟକ୍ତି ତାଙ୍କୁ ଏକ ଗାଡ଼ିରେ ବସାଇ ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଥିଲା । ମାତ୍ର ତାଙ୍କୁ କିଏ, କାହିଁକି ଓ କେଉଁ କାରଣ ପାଇଁ ନେଇଛନ୍ତି ତାହା ଏବେ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ ହୋଟେଲରୁ ଯିବା ପରଠାରୁ ପ୍ରଫୁଲ୍ଲଙ୍କର ମୋବାଇଲ ଫୋନ୍ ସୁଇଚ୍ ଅଫ୍ ରହିଛି । ତେଣୁ ପ୍ରଫୁଲ୍ଲଙ୍କୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି । ତେବେ ପ୍ରଫୁଲ୍ଲଙ୍କୁ ନେଇ ଏବେ ଦୁଇଟି ସମ୍ଭାବନା ମନକୁ ଆସୁଛି । ଅନେକ ସମୟରେ ପୋଲିସ ପକ୍ଷରୁ କିଛି ବ୍ୟକ୍ତିଙ୍କୁ କୌଣସି ସମ୍ବେଦନଶୀଳ ଘଟଣାରେ ବିନା ସୂଚନାରେ ନିଆଯାଇଥାଏ । ସେହିପରି ପ୍ରଫୁଲ୍ଲଙ୍କୁ ହୁଏତ ଅନ୍ୟ କେହି ନେଇଥାଇ ପାରନ୍ତି । ଏହାକୁ ଏନେଇ ଏବେ ଚାରିଆଡ଼େ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯୁବ କଂଗ୍ରେସର ଏକ ପ୍ରେସ ମିଟ ପାଇଁ ପ୍ରଫୁଲ୍ଲ ରାୟଗଡ଼ା ଯାଇଥିଲେ ।