fbpx

ଲେଖାଗଲା ନୂଆ ଇତିହାସ: ୪୦୪ ରନର ବିସ୍ଫୋରକ ଇନିଂସ ଖେଳିଲେ କର୍ଣ୍ଣାଟକ କ୍ରିକେଟର, ବ୍ରିୟାନ ଲାରା କରିଥିଲେ ୪୦୦ ରନ୍

ନୂଆଦିଲ୍ଲୀ: କ୍ରିକେଟ ଏପରି ଏକ ଖେଳ ଯେଉଁଥିରେ କିଛି ରେକର୍ଡ ବର୍ଷ ବର୍ଷ ପର୍ଯ୍ୟନ୍ତ ଅତୁଟ ରହୁଥିବା ବେଳେ ଆଉ କିଛି ରେକର୍ଡ ଭଙ୍ଗ ହେବା ସହିତ ନୂଆ ଇତିହାସ ଲେଖାଯାଇଥାଏ । ତେବେ ଏହା ମଧ୍ୟରେ କର୍ଣ୍ଣାଟକର ଜଣେ କ୍ରିକେଟର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ୪୦୪ ରନର ଏକ ବିସ୍ଫୋରକ ଇନିଂସ ଖେଳି ଏହି ଖେଳାଳି ଜଣଙ୍କ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସୂଚନା ମୁତାବକ, କୁଚ ବିହାର ଟ୍ରଫିର ଫାଇନାଲରେ ମୁମ୍ବାଇ ବିପକ୍ଷରେ କର୍ଣ୍ଣାଟକର ପ୍ରଖର ଚତୁର୍ବେଦୀ ଅପରାଜିତ ୪୦୪ ରନର ଏକ ବଡ଼ ଇନିଂସ ଖେଳି ଇତିହାସ ରଚିଛନ୍ତି । ଏହି କ୍ରମରେ ପ୍ରଥମ ଖେଳାଳି ଭାବେ ୟୁ-୧୯ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଖର ୪୦୦ ରନ୍ ଅତିକ୍ରମ କରିଛନ୍ତି । ଏହି ଅବସରରେ ପ୍ରଖର ୬୩୮ଟି ବଲ ଖେଳିଥିବା ବେଳେ ସେଥିମଧ୍ୟରେ ୪୬ଟି ଚୌକା ଓ ୩ଟି ଛକା ରହିଥିଲା । କର୍ଣ୍ଣାଟକ ଏହି ମ୍ୟାଚକୁ ୮୯୦/୮ରେ ଘୋଷଣା କରିଥିଲା ।

ପ୍ରଥମ ଇନିଂସରେ ଆଗୁଆ ରହିବା ସହିତ କର୍ଣ୍ଣାଟକ ଏହି ଟାଇଟଲ ବିଜୟୀ ହୋଇଥିଲା । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦିଆଯାଇଛି । ପୂର୍ବରୁ ପ୍ରଖର ୨୫୬ ରନରେ ଅପରାଜିତ ରହିଥିବା ବେଳେ ଆଜି ସେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲେ । ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଟିମର କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ଦ୍ରାବିଡ଼ ୪୬ଟି ବଲରୁ ୨୨ ରନ ସଂଗ୍ରହ କରିଥିଲେ । ସମିତ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ସେହିପରି ହର୍ଷିଲ ଧର୍ମାଣୀ ୨୨୮ଟି ବଲରୁ ୧୬୩ ରନର ଇନିଂସ ଖେଳିବା ସହିତ ପ୍ରଖରଙ୍କ ସହ ମିଶି ଏକ ବଡ଼ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ ।

Get real time updates directly on you device, subscribe now.