ବିଜେପିକୁ କଡ଼ା ଟାର୍ଗେଟ୍ କଲେ ପ୍ରମିଳା, କହିଲେ ବିଜୁବାକୁ ନାଁକୁ ଡରୁଛି ବିଜେପି, କାରଣ…

ଭୁବନେଶ୍ୱର,୪ା୩: ଆଜି ଅର୍ଥାତ୍ ମଙ୍ଗଳବାର ବିଜେଡି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ । ଆଜି ସେ ୬୨ ବର୍ଷରେ ପଦାର୍ପଣ କରିଛନ୍ତି । ଆଜିର ଏହି ଦିନରେ ପ୍ରମିଳା ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି । ସରକାର ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଥିବାରୁ ବିଜେପି ଉପରେ ବର୍ଷିଛନ୍ତି ପ୍ରମିଳା । ସେ କହିଛନ୍ତି, ବିଜୁବାବୁଙ୍କ ନାଁକୁ ବିଜେପି ଡରୁଛି । କାରଣ ଲୋକେ ତାଙ୍କୁ ଭଲ ପାଆନ୍ତି ।

ପ୍ରମିଳା କହିଛନ୍ତି, ରାଜ୍ୟ ସରକାର ବିଜୁବାବୁଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସ ପାଳନକୁ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ଏହା ବିଜୁବାବୁଙ୍କୁ ଅପମାନ । ଓଡ଼ିଶା ଅସ୍ମିତାର ଦ୍ୱାହି ଦେଇ ବିଜେପି ନିର୍ବାଚନ ଜିତିଛି । ଏହା କ’ଣ ଓଡ଼ିଆ ଅସ୍ମିତା । ପ୍ରକୃତରେ କହିବାକୁ ଗଲେ ବିଜୁବାବୁଙ୍କ ନାଁକୁ ହିଁ ବିଜେପି ଡରୁଛି । ଯେଉଁଥିପାଇଁ ବିଜୁବାବୁଙ୍କ ଅସ୍ତିତ୍ୱକୁ ଲୁଚାଇବାକୁ ବିଜେପି ଏପରି ହୀନ ଚକ୍ରାନ୍ତ କରିଛି ।

ସୂଚନାଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ହେବନି । ଏପ୍ରିଲ ୨୪ରେ ହେବ ପାଳନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତି ଦୂର କରିବାକୁ ପ୍ରୟାସ କରାଯାଇଥିବା କୁହାଯାଇଛି । ଅଲଗା ଅଲଗା ପାଳନ ହେବ ନାହିଁ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ

ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ପଞ୍ଚାୟତିରାଜ ଦିବସ ଧୁମଧାମରେ ପାଳିବାକୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି। ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ। କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ । ୨୦୨୦ରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଆସୁଥିଲା ।