fbpx

ଟିଭି ଓ ରେଡିଓ ପାଇଁ ପ୍ରସାର ଭାରତୀ ଏବଂ ଇଜିପ୍ଟର ନେସନାଲ ମିଡିଆ ଅଥରିଟି (ଏନଏମଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: ଟିଭି ଓ ରେଡିଓ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି, ଦକ୍ଷତା ନିର୍ମାଣ ଏବଂ ବିଷୟବସ୍ତୁ (କଣ୍ଟେଣ୍ଟ) ବିନିମୟ ନିମନ୍ତେ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ଇଜିପ୍ଟର ବୈଦେଶିକ ମନ୍ତ୍ରୀ ଶ୍ରୀ ସମେ ହାସାନ ସ୍ୱାକ୍ଷର କରିଛନ୍ତି । ଦୁଇପକ୍ଷ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଶେଷ ହେବା ପରେ ନୂଆଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ଏହି ବୁଝାମଣା ପତ୍ର ଭାରତର ପ୍ରଧାନମନ୍ତ୍ରୀ ଏବଂ ଇଜିପ୍ଟର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ବିନିମୟ କରାଯାଇଥିଲା ।

ବୁଝାମଣାପତ୍ର ଅନୁସାରେ ଟିଭି ଓ ରେଡିଓ ନିମନ୍ତେ ବିଷୟବସ୍ତୁ ବିନିମୟ, ଦକ୍ଷତା ନିର୍ମାଣ ଏବଂ କାର୍ଯ୍ୟକ୍ରମର ମିଳିତ ପ୍ରସ୍ତୁତି ପାଇଁ ପ୍ରସାର ଭାରତୀ ଏବଂ ଇଜିପ୍ଟର ନେସନାଲ ମିଡିଆ ଅଥରିଟି କାର୍ଯ୍ୟ କରିବ।

ବିଦେଶରେ ଡିଡି-ଇଣ୍ଡିଆ ଚାନେଲ ମାଧ୍ୟମରେ ଭାରତର ବିକାଶ ଏବଂ ଦେଶର ଅର୍ଥନୀତି, ଟେକ୍ନୋଲୋଜି, ସାମାଜିକ ବିକାଶ ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ପ୍ରସାର ଭାରତୀ ଯେଉଁ ଉଦ୍ୟମ କରୁଛି ଏହି ବୁଝାମଣାପତ୍ର ତାହାର ଏକ ଅଂଶବିଶେଷ । ଏହାଛଡ଼ା ବୁଝାମଣାପତ୍ରର ନୀତି ଅନୁସାରେ ଉଭୟ ପକ୍ଷ କ୍ରୀଡ଼ା, ସମ୍ବାଦ, ସଂସ୍କୃତି, ମନୋରଞ୍ଜନ ଓ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ଭିତ୍ତିରେ କାର୍ଯ୍ୟକ୍ରମ ଆଦାନ ପ୍ରଦାନ କରିବେ । ସେସବୁ କାର୍ଯ୍ୟକ୍ରମକୁ ଦୁଇ ଦେଶ ନିଜ ନିଜର ରେଡିଓ ଏବଂ ଟେଲିଭିଜନ ଚାନେଲ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇବେ । ଏହି ବୁଝାମଣାପତ୍ରର ମିଆଦ ତିନିବର୍ଷ ରହିଛି । ଉଭୟ ପକ୍ଷ ମଧ୍ୟ ସର୍ବାଧିକ ଟେକ୍ନୋଲୋଜି ସମ୍ପର୍କରେ ପରସ୍ପରର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବେ ଏବଂ କାର୍ଯ୍ୟକ୍ରମର ମିଳିତ ପ୍ରସ୍ତୁତି (କୋ-ପ୍ରଡକ୍ସନ) ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ ।

ଭାରତର ପବ୍ଲିକ ସର୍ଭିସ ବ୍ରଡକାଷ୍ଟର ପ୍ରସାର ଭାରତୀୟ ଏବେ ୩୯ ବିଦେଶୀ ପ୍ରସାରଣକାରୀ ସଂସ୍ଥାଙ୍କ ସହିତ କାର୍ଯ୍ୟକ୍ରମ ପ୍ରସ୍ତୁତି, ସହଯୋଗ ଏବଂ ବିନିମୟ କ୍ଷେତ୍ରରେ ବୁଝାମଣାପତ୍ର ରହିଛି । ଏହାଛଡ଼ା ଏହା ମାଧ୍ୟମରେ ସମ୍ପୃକ୍ତ ଦେଶଙ୍କ ସହିତ ସଂସ୍କୃତି, ଶିକ୍ଷା, ବିଜ୍ଞାନ, ମନୋରଞ୍ଜନ, କ୍ରୀଡ଼ା ଖବର ଆଦି କ୍ଷେତ୍ରରେ କାର୍ଯ୍ୟକ୍ରମ ଆଦାନ ପ୍ରଦାନ ବ୍ୟବସ୍ଥା ଅଛି । ଆପୋସ ସ୍ୱାର୍ଥ ଏବଂ ଜ୍ଞାନ ଭାଗିଦାରୀକୁ ଦୃଷ୍ଟିରେ ରଖି ଏହି ବୁଝାମଣାପତ୍ର ସବୁ ସ୍ୱାକ୍ଷରିତ ହୋଇଛି।

Get real time updates directly on you device, subscribe now.