ପ୍ରୟାସର ୧୨ତମ ଦାଣ୍ଡିଆ ମହୋତ୍ସବ ଉଦ୍‌ଘାଟିତ, କାର୍ଯ୍ୟକ୍ରମକୁ ଉଦଘାଟନ କଲେ ବିଧାୟକ ଓ କର୍ପୋରେଟର

ଓଡ଼ିଶାର ସଂସ୍କୃତି ବିଶ୍ୱପ୍ରସିଦ୍ଧ: ବାବୁ ସିଂ

ଭୁବନେଶ୍ୱର: ଏବେ ଚାଲିଛି ନବରାତ୍ରି। ଧରାକୁ ଓହ୍ଲାଇ ଆସିଛନ୍ତି ମା ଦୁର୍ବତିନାଶିନୀ ଦୁର୍ଗା। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଆଉ ଏହି ଦୁର୍ଗାପୂଜାର ବିଶେଷତ୍ତ୍ୱେ ହେଉଛି ଦାଣ୍ଡିଆ। ପ୍ରାୟ ଅନେକ ସ୍ଥାନରେ ଏବେ ଦାଣ୍ଡିଆର ଆସର ଜମୁଛି।

ଏହି ଅବସରରେ ରାଜ୍ୟର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ପବିତ୍ର ଦୁର୍ଗୋତ୍ସବ ଅବସରରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୧୨ତମ ଦାଣ୍ଡିଆ ମହୋତ୍ସବ ଉଦ୍‌ଘାଟିତ ହୋଇଛି।

ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ରଞ୍ଜୁଲତା ରାୟ ଉଦ୍‌ଘାଟନ କରିଛନ୍ତି।

ଏହି ମହୋତ୍ସବରେ ‘ଓଡ଼ିଶା ଭାସ୍କର’ର ସମ୍ପାଦକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତଥା ପ୍ରୟାର ଟ୍ରଷ୍ଟୀ କୌସ୍ତୁଭ ଦାସଙ୍କ ସଭାପତିତ୍ୱରେ ମଞ୍ଚ ପରିଚାଳନା ହୋଇଥିବା ବେଳେ ପ୍ରୟାସ ସଭାପତି ତଥା ବରିଷ୍ଠ ଆଇନଜୀବୀ ବନ ମହାନ୍ତି ପ୍ରୟାସର ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଓଡ଼ିଶାର ସଂସ୍କୃତି ବିଶ୍ୱପ୍ରସିଦ୍ଧ: ଏହି ଅବସରରେ ବିଧାୟକ ଶ୍ରୀ ସିଂ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ନବରାତ୍ର ଅବସରରେ ପ୍ରୟାସର ଏଭଳି ଏକ ଆଭିମୁଖ୍ୟ ଆଜି ଆମର କଳା ସଂସ୍କୃତିକୁ ଉଦ୍‌ଭାସିତ କରିପାରିଛି। ଓଡ଼ିଶାର ସଂସ୍କୃତି ସବୁବେଳେ ବିଶ୍ୱପ୍ରସିଦ୍ଧ।

ସେହିପରି ମଧ୍ୟ ବିଧାୟକ ଶ୍ରୀ ଜେନା କହିଥିଲେ ଯେ, ମା’ଙ୍କ ଆଗମନ ଅବସରରେ ଆମର କଳା ସଂସ୍କୃତିକୁ ପ୍ରୟାସ ଭଳି ଅନୁଷ୍ଠାନ ବଞ୍ଚାଇ ରଖିବା ଅତ୍ୟନ୍ତ ଶୁଭଲକ୍ଷଣ। ସବୁବେଳେ ଏହି ଅନୁଷ୍ଠାନ ଭିନ୍ନ ଭିନ୍ନ କାର୍ଯ୍ୟ କରି ଲୋକଲୋଚନରେ ବେଶ୍ ଆଦୃତ ଲାଭ କରିପାରିଛି।

ଏହାସହ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ବିଗତ ୧୨ ବର୍ଷ ଧରି ଏହି ଅନୁଷ୍ଠାନ ସହ ଜଡ଼ିତ ରହିଥିବା ବେଳେ ପ୍ରୟାସର ଲକ୍ଷ୍ୟ ସବୁବେଳେ ଭିନ୍ନ ଓ ଅନନ୍ୟ ହୋଇରହିଛି।

କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ଏବଂ ସାମୂହିକ ବିବାହ ମହୋତ୍ସବ କରି ଗରିବଙ୍କ ମୁହଁରେ ହସ ଫୁଟାଇବା ସହ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରୟାସ ଭଳି ଅନୁଷ୍ଠାନର ମୁଖ୍ୟ ପ୍ରୟାସ ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୟାସ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ମମତା ମହାନ୍ତି, ଜସ୍ମିନ୍ ମହାନ୍ତି, କୌଶିକ ମହାନ୍ତି, କମଳ ମହାନ୍ତି,  ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରୟାସର ବରିଷ୍ଠ ସଦସ୍ୟା ସୋନାଲୀ ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦାଣ୍ଡିଆ ମହୋତ୍ସବ: ଏଠାରେ ସୂଚନାଯୋଗ୍ୟ ଯେ, ଏହି ଦାଣ୍ଡିଆ ମହୋତ୍ସବ ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ଶେଷ ହେବ। ଏହି ମହୋତ୍ସବ ସନ୍ଧ୍ୟା ୬ରୁ ଆରମ୍ଭ ହୋଇ ରାତ୍ରି ୧୦ରେ ଶେଷ ହେବ।

୭ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜନ ହେଉଥିବା ବେଳେ ୧ଲକ୍ଷ ୬୦ହଜାରର ବର୍ଗଫୁଟ୍ ସ୍ଥାନରେ ଅନୁଷ୍ଠିତ ହେଉଛି। ୪,୮୦୦ ବର୍ଗ ଫୁଟ୍‌ରେ ବିରାଟ ପ୍ଲାଟଫର୍ମ ଓ ୩୦ହଜାର ବର୍ଗଫୁଟ୍‌ରେ ଡ୍ୟାନ୍ସିଂ ଫ୍ଲୋର ସହିତ ଅତ୍ୟାଧୁନିକ ଏଲଇଡି ଆଲୋକସଜ୍ଜା, ଉନ୍ନତମାନର ଲାଇଭ୍ ବ୍ୟାଣ୍ଡ ସହ ଆଲୋକ ମାଳାର ଅପୂର୍ବ ସମନ୍ୱୟ ନୃତ୍ୟାଙ୍ଗନାଙ୍କୁ ବେଶ୍ ଆକୃଷ୍ଟ କରିବ।

ଏଥିସହ ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ସୁସ୍ୱାଦୁ ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ମଦ୍ୟପାନ ଓ ତମାଖୁ ସେବନ ନିଷେଧ କରାଯାଇଛି।

ମହୋତ୍ସବରେ ପ୍ରତ୍ୟେକ ଦିନ ବେଷ୍ଟ ଡ୍ୟାନ୍ସର, ବେଷ୍ଟ କପଲ୍‌, ବେଷ୍ଟ କଷ୍ଟ୍ୟୁମ୍ ଏବଂ ବେଷ୍ଟ କିଡ୍ସ ଡ୍ୟାନ୍ସର ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।