ପ୍ରସବ ସମୟରେ ଆସିଲା ହାର୍ଟଆଟାକ୍; ହସ୍ପିଟାଲରେ ଆଖି ବୁଜିଲେ ମାଆ ଓ ଅଜନ୍ମିତ ଶିଶୁ
ହସ୍ପିଟାଲରେ ପ୍ରସବ ସମୟରେ ହୃଦଘାତର ଶିକାର ହେଲେ ଆଦିବାସୀ ମହିଳା । ଅଜନ୍ମିତ ଶିଶୁକୁ ବଞ୍ଚାଇବାରେ ବିଫଳ ହେଲା ମେଡିକାଲ ଟିମ୍ ।
ମୁମ୍ବାଇ: ପ୍ରସବ ସମୟରେ ହୃଦଘାତ ଯୋଗୁଁ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ଅଜନ୍ମିତ ଶିଶୁ ମଧ୍ୟ ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜି ଦେଇଛି ।
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିିଳିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ । ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଜଟିଳ ହେଲା ସ୍ୱାସ୍ଥ୍ୟବସ୍ଥା: ମହାରାଷ୍ଟ୍ରର ପାଲଘର ଜିଲ୍ଲା ସ୍ଥିତ ଏକ ହସ୍ପିଟାଲରେ ପ୍ରସବ ସମୟରେ ଜଣେ ୩୧ ବର୍ଷୀୟ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
ବିକ୍ରମଗଡ଼ ଗଲଟାରେ ଗାଁର କୁନ୍ତା ବୈଭବ ପଦୱଲେ ନାମକ ଜଣେ ମହିଳାଙ୍କୁ ମଙ୍ଗଳବାର ରାତିରେ ପ୍ରସବ ପୀଡ଼ା ହୋଇଥିଲା ।
ଏହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଜଟିଳତା ଯୋଗୁଁ ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲକୁ ରେଫର କରାଯାଇଥିଲା ।
କ’ଣ କହିଲେ ଡାକ୍ତର: ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ ପ୍ରସବ ସମୟରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଭାଗ୍ୟବଶତଃ ମେଡିକାଲ ଟିମ୍ ଶିଶୁକୁ ବଞ୍ଚଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା କହିଥିଲେ ଡାକ୍ତର ।
ଦୁଃଖ ପ୍ରକାଶ କଲେ ସାଂସଦ: ପାଲଘର ସାଂସଦ ହେମନ୍ତ ସାୱରା ଆଦିବାସୀ ମହିଳା ତାଙ୍କ ଅଜନ୍ମିତ ଶିଶୁର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।
ଜୱାହରରେ ୨୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ପାଇଁ ମଞ୍ଜୁରୀ ମିଳିଛି । ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଆଶା ରହିଛି । ଏହା ବ୍ୟତୀତ ଆମ୍ବୁଲାନ୍ସ ସଂଖ୍ୟ ବୃଦ୍ଧି ପାଇଁ ମଧ୍ୟ ଯୋଜନା ରହିଛି ।
କହିରଖୁଛୁ ଏହା ପୂର୍ବରୁ ମଧ୍ୟ ପାଲଘରରେ ପ୍ରସବ ସମୟରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି ।