ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଚିନ୍ତାଜନକ ରହିଛି । ବିଦ୍ରେହୀ ଗୋଷ୍ଠୀ ରାଜଧାନୀ ଦାମାସ୍କସରେ ପ୍ରେବଶ କରିଥିବା ନେଇ ଦାବି କରାଯାଉଛି । ତେବେ ବିଦ୍ରୋହ ଭୟରେ ରାଷ୍ଟ୍ରପତି ବଶାର ଅଲ ଅସଦ ଦାମାସ୍କସ ଛାଡି ପଳାଇଥିବା ରିପୋର୍ଟରେ ଦାବି କରାଯାଉଛି । କିନ୍ତୁ ଆନୁଷ୍ଠାନିକ ଭାବେ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ ।
ବର୍ତ୍ତମାନ ହୟାତ ତହରିର ଅଲ ଶାମ ନାମକ ଏକ ବିଦ୍ରୋହୀ ଗୋଷ୍ଠୀ ସିରିଆ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଛି । ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ ବାଶର ସରକାରଙ୍କର ଏକ ବିମାନ ରାଜଧାନୀରୁ ଉଡ଼ାଣ ଭରିଛି । ରାଷ୍ଟ୍ରପତି ବିଦ୍ରୋହକୁ ଡରି ଦେଶ ଛାଡି ପଳାଇଥିବା ଦାବି କରାଯାଉଛି । ଅସଦ ତାଙ୍କ ପରିବାର ସହିତ ଦେଶ ଛାଡି ରୁଷିଆକୁ ପଳାୟନ କରିଛନ୍ତି ବୋଲି କୁହାଯାଉଛି । ଗତ କିଛି ଦିନ ମଧ୍ୟରେ 300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି ।
ସିରିଆର ପରିସ୍ଥିତି ଉପରେ ଭାରତର ମଧ୍ୟ ନଜର ରହିଛି । ସିରିଆରେ ଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ଭାରତ ନିଜ ନାଗରିକମାନଙ୍କୁ ସେଠାକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ଏବଂ ସିରିଆରେ ରହୁଥିବା ନାଗରିକମାନଙ୍କୁ ‘ଅତ୍ୟଧିକ ସତର୍କତା’ ରହିବା ପାଇଁ ଚେକାଇ ଦେଇଛି । ସିରିଆରେ ଗୃହଯୁଦ୍ଧ ଏକ ନୂଆ କଥା ନୁହେଁ, ଏଠାରେ ପରିସ୍ଥିତି ବର୍ଷ ବର୍ଷ ଧରି ଚିନ୍ତାରେ ପକାଇଛି । ଗୃହଯୁଦ୍ଧ 2011 ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ହିଂସାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ସାରା ବିଶ୍ବରେ ଚିନ୍ତା ବୃଦ୍ଧି ପାଇଥିଲା । ବାଶାର ଅଲ-ଅସଦ ସରକାରଙ୍କ ବିରୋଧରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ, ଆତଙ୍କବାଦୀ ସଂଗଠନ ଏବଂ ଅନ୍ୟ ଦେଶର ସୈନ୍ୟ ସମେତ ଅନେକ ଭିନ୍ନ ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହି ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ ।