fbpx

ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ : ପ୍ରଥମ ଥର ଦେଶରେ ଜଣେ ଆଦିବାସୀ ନେତା ହେବେ ରାଷ୍ଟ୍ରପତି !

Advertisement

ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଚଳିତବର୍ଷ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା । ରାଷ୍ଟ୍ରପତି ନିର୍ବାଚନର ତମାମ ସମୀକରଣ ସହ ୨୦୨୪ ନିର୍ବାଚନୀ ବୈତରଣୀ ପାର୍‌ ହେବା ପାଇଁ ଭାରତୀୟ ଜନତା ପାର୍ଟି ଏବେଠୁ ଅଣ୍ଟା ଭିଡ଼ିଲାଣି । ଏପରିସ୍ଥଳେ ଏଥର ରାଷ୍ଟ୍ରପତି ପଦ ପାଇଁ ଜଣେ ଆଦିବାସୀ ଚେହେରାକୁ ଦଳ ବାଛିବା ଆରମ୍ଭ କରିଦେଇଛି ।

ଯଦି ବାସ୍ତବରେ ଏଭଳି ହୁଏ ତେବେ ପ୍ରଥମଥର ପାଇଁ ଭାରତରେ ଜଣେ ଆଦିବାସୀ ନେତା ରାଷ୍ଟ୍ରପତି ହେବାର ସୌଭାଗ୍ୟଲାଭ କରିବେ ।ନିକଟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ହୋଇଥିବା ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇଥିଲା । ୫୪୩ ଲୋକସଭା ଆସନରୁ ୪୭ଟି ଆସନ ଏସ୍‌ଟି ବର୍ଗ ପାଇଁ ସଂରକ୍ଷିତ ରହିଛି । ୬୨ ଲୋକସଭା ଆସନରେ ଆଦିବାସୀ ସମୁଦାୟଙ୍କ ପ୍ରଭାବ ରହିଛି । ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଆଦିବାସୀ ଭୋଟରଙ୍କ ଭୋଟ୍‌ ହିଁ ଏହି ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ସୂଚନାଥାଉକି ଗୁଜରାଟରେ ଚଳିତବର୍ଷ ଓ ମଧ୍ୟପ୍ରଦେଶ- ଛତିଶଗଡ଼ରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବ । ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ଏସ୍‌ଟି ଆସନ ପାଇଁ ସଂରକ୍ଷିତ ରହିଛି । ୨୦୦୭ ବିଧାନସଭା ନିର୍ବାଚନରେ ବିଜେପି ଏଠାରୁ ୭ଟି, ୨୦୧୨ରେ ୧୧ ଓ ୨୦୧୭ରେ ୯ଜଣ ଏସ୍‌ଟି ବିଧାୟକ ବିଜୟୀ ହୋଇଥିଲେ ।

ସେହିପରି ଝାଡ଼ଖଣ୍ଡ ବିଧାନସଭାରେ ୨୮ଟି ଆସନ ଏସ୍‌ଟି ପାଇଁ ସଂରକ୍ଷିତ ରହିଛି । ୨୦୧୪ରେ ବିଜେପି ଏଠାରୁ ୧୧, ୨୦୧୯ରେ ୨ଟି ଏସ୍‌ଟି ପାଇବାକୁ ସକ୍ଷମ ହୋଇଥିଲା । ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନ ମଧ୍ୟରୁ ୮୪ଟି ଆସନ ଏସ୍‌ଟି ବର୍ଗ ପାଇଁ ସଂରକ୍ଷିତ ରହିଛି । ୨୦୧୩ରେ ବିଜେପିର ୫୯ଜଣ ଏସ୍‌ଟି ବିଧାୟକ ଜିତିଥିବାବେଳେ ୨୦୧୮ରେ ୩୪ରେ ସୀମିତ ରହିଥିଲା । ତେବେ ଚଳିତଥର ରାଷ୍ଟ୍ରତି ପଦ ପାଇଁ କେଉଁ ଆଦିବାସୀ ନେତା ଏହି ଆସନ ଅଳଙ୍କୃତ କରିବେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ରେସ୍‌ରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜୁଏଲ୍‌ ଓରାମ, ଦ୍ରୌପଦୀ ମୁର୍ମୁ ତଥା ଛତିଶଗଡ଼ ରାଜ୍ୟପାଳ ଅନସୁଇୟା ଉଇକେଙ୍କ ନାମ ସର୍ବାଗ୍ରେ ରହିଛି । ଯଦି ଏଭଳି ହୁଏ ତେବେ ଭେଙ୍କେୟା ନାଇଡୁ ଓ ରାଜନାଥ ସିଂ ଏହି ରେସ୍‌ରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.