କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଓଡ଼ିଶାରୁ ୨ ଜଣଙ୍କ ନାମ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଆନ୍ଧ୍ରର ୱାଇଏସ୍‌ଆର୍‌ କଂଗ୍ରେସ ଏବଂ ଓଡ଼ିଶାର ବିଜେଡ଼ି ବିଧାୟକ ଓ ସାଂସଦଙ୍କ ଉପରେ ସବୁ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର, = : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି ପଦବୀରେ କିଏ ଅଧିଷ୍ଠିତ ହେବେ ତାହାନେଇ ଜୋର୍‌ଦାର୍‌ ଚର୍ଚ୍ଚା ଜାରି ରହିଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଚଳିତ ଥର ଜଣେ ଆଦିବାସୀ, ମହିଳା କିମ୍ବା ସଂଖ୍ୟାଲଘୁଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଓଡ଼ିଶାରୁ ୨ ଜଣଙ୍କ ନାମ ଚର୍ଚ୍ଚାରେ ଥିବା ଜାତୀୟ ଗଣମାଧ୍ୟମରେ ଥିବା ପ୍ରକାଶ ପାଇଛି ।  ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ନାମ ଚର୍ଚ୍ଚାରେ ରହିଛି ।

ସେହିପରି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଥିବା ସୂଚନା ମିଳିଛି । ସେହିଭଳି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ନାମ ମଧ୍ୟ ଶୁଣାଯାଉଛି । ତେବେ ଏନ୍‌ଡିଏ କାହାକୁ ପ୍ରାର୍ଥୀ କରିବ ସେନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ୟୁପିଏ ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ କରିନାହିଁ ।

ରାଜ୍ୟସଭା ଗଣିତ କହୁଛି ଯେ, ସାଂସଦ ଓ ବିଧାୟକମାନଙ୍କ ମୋଟ୍‌ ଭୋଟ୍‌ ମୂଲ୍ୟ ହେଉଛି ୧୦ ଲକ୍ଷ ୯୮ ହଜାର ୮୮୨ । ତେବେ ଏଥିମଧ୍ୟରୁ ଏନ୍‌ଡିଏ ନିକଟରେ ୪୮.୮% ଭୋଟ୍‌ ରହିଥିବାବେଳେ ବିରୋଧୀଙ୍କ ନିକଟରେ ୫୧.୧% ଭୋଟ୍‌ ରହିଛି । ଏନ୍‌ଡିଏକୁ ଏହି ଭୋଟ୍‌ ଜିତିବାକୁ ହେଲେ ଆଉ ୨.୨% ଭୋଟ୍‌ର ଆବଶ୍ୟକତା ରହିଛି । ତେବେ ଆନ୍ଧ୍ରର ୱାଇଏସ୍‌ଆର୍‌ କଂଗ୍ରେସ ଏବଂ ଓଡ଼ିଶାର ବିଜେଡ଼ି ବିଧାୟକ ଓ ସାଂସଦମାନେ ଏନ୍‌ଡିଏକୁ ସମର୍ଥନ ଯୋଗାଇଲେ ଏନ୍‌ଡିଏ ପ୍ରାର୍ଥୀ ବିଜୟଲାଭ କରିବା ସୁନିଶ୍ଚିତ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିଥିଲେ । ତେବେ ବିଜେଡ଼ି ଏବଂ ୱାଇଏସ୍‌ଆର୍‌ କଂଗ୍ରେସ କାହାକୁ ସମର୍ଥନ ଯୋଗାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।