fbpx

(Video) G-20 in India: ପିଏମ୍ ମୋଦୀ ଓ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୯-୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ଭାରତ ଗସ୍ତ କରିଛନ୍ତି । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଭାରତରେ ପହଞ୍ଚିବା ପରେ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଛନ୍ତି ।

ବିମାନବନ୍ଦରରୁ ଓହ୍ଲାଇବା ପରେ ବାଇଡେନ ସିଧାସଳଖ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଦୁଇ ରାଷ୍ଟ୍ରର ନେତା ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକରେ ମୋଦୀ ଓ ବାଇଡେନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆମେରିକା ରାଷ୍ଟ୍ରପତି ବାଇଡେନ, ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ବୈଠକ କରିବେ ବୋଲି ପୂର୍ବରୁ ମୋଦୀ ନିଜର ଅଫିସିଆଲ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇଥିଲେ ।

ତେବେ ଏହା ମଧ୍ୟରେ ମୋଦୀ ଓ ବାଇଡେନଙ୍କର ସାକ୍ଷାତର ଏକ ଭିଡିଓ ସାମ୍ନାକୁ ଆସିଛି । ବାଇଡେନ ତାଙ୍କର କାରରୁ ଓହ୍ଲାଇବା ପରେ ମୋଦୀ ହସ ହସ ମୁଖରେ ତାଙ୍କୁ ସ୍ୱାଗତ କରିବା ସହ କରମର୍ଦ୍ଦନ କରିଥିଲେ । ଏହା ପରେ ଦୁଇ ନେତା ବେଶ୍ ଖୁସିର ସହିତ ଆଗକୁ ବଢ଼ିଥିଲେ । ତେବେ ଦୁଇ ନେତା ରେଡ୍ କାର୍ପେଟରେ ଚାଲୁଥିବା ସମୟରେ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ବାଇଡେନ ମୋଦୀଙ୍କ କାନ୍ଧରେ ହାତ ପକାଇ କିଛି କହୁଥିବା ଦେଖାଯାଇଥିଲା, ଯାହାକି ଦୁଇ ନେତାଙ୍କର ନିବିଡ଼ ବନ୍ଧୁତ୍ୱକୁ ପ୍ରମାଣିତ କରିଥିଲା । ଏହି ବୈଠକରେ ଦୁଇ ନେତା ପ୍ରତିରକ୍ଷା, ଉତ୍ପାଦନ କ୍ଷେତ୍ର, ମହାକାଶ, ବାଣିଜ୍ୟ, ବିଦେଶ ନୀତି, ଆଣବିକ ସହିତ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ମୋଦୀ ବିଶ୍ୱର ୧୫ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ବୈଠକ ବିଭିନ୍ନ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଅଧିକ ନିବିଡ଼ କରାଇବାରେ ସହାୟକ ହେବ ।

Get real time updates directly on you device, subscribe now.