ପିଟିପିଟି ତୃତୀୟ ଶ୍ରେଣୀ ଝିଅର ଆଖି ଫୁଟାଇ ଦେଲେ ପ୍ରିନ୍ସିପାଲ
ମହିଳା ପ୍ରିନ୍ସିପାଲଙ୍କ ଉଗ୍ର ରୂପ, ସାମାନ୍ୟ କଥାରେ ପିଟିପିଟି ତୃତୀୟ ଶ୍ରେଣୀ ଝିଅର ଆଖି ଫୁଟାଇ ଦେଲେ। ଘଟଣା ସମ୍ପର୍କରେ ଜାଣିବାକୁ ସ୍କୁଲ ଯାଇଥିବା ପୀଡିତାଙ୍କ ମା' କୁ ମଧ୍ୟ ପିଟିଲେ।
ଉତ୍ତରପ୍ରଦେଶ: ପୁଣି ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀକୁ ପିଟିପିଟି ଲହୁ ଲୁହାଣ କରିଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ। ଏପରି ନିର୍ଦୟ ଭାବରେ ପିଟିଛନ୍ତି ଯେ, ଝିଅର ଆଖି ମଧ୍ୟ ଫୁଟି ଯାଇଛି। ଏବଂ ନାବାଳିକା ଜଣଙ୍କ ତାଙ୍କ ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ ହୋଇଛି।
କେବଳ ସେତିକି ନୁହେଁ ଯେତେବେଳେ ଝିଅଟିର ମା’ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ସ୍କୁଲକୁ ଗଲେ ତାଙ୍କୁ ମଧ୍ୟ ପ୍ରିନ୍ସିପାଲ ଜଣଙ୍କ ମାଡ଼ ମାରିଥିବା ସୂଚନା ମିଳିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରିନ୍ସିପାଲ ଜଣକ ଜଣେ ମହିଳା। ଆଉ ଏକ ସାଧାରଣ ଘଟଣାକୁ ନେଇ ଏପରି କାଣ୍ଡ କରିଛନ୍ତି ମହିଳା ପ୍ରିନ୍ସିପାଲ ଜଣକ।
ନାବାଳିକାକୁ ନିସ୍ତୁକ ମାଡ଼: ଘଟଣାଟି ଘଟିଛି ଉତ୍ତରପ୍ରଦେଶ ମୁରାଦାବାଦର ଭୋଗପୁର ମିଥୋନି ପ୍ରାଥମିକ ବିଦ୍ୟାଳୟରେ। ପୀଡିତାଙ୍କ ମାଙ୍କ ଅଭିଯୋଗ ଅନୁସାରେ, କଥା ହେଉଛି ମାସକ ତଳର। ପୀଡିତା ଝିଅଟି ଦିନେ ସ୍କୁଲରୁ ଶୀଘ୍ର ଆସିବାକୁ ଜିଦ୍ କରିଥିଲା।
ଏମିତିରେ ଛୋଟ ପିଲା କେତେବେଳେ କେଉଁ କଥାକୁ ନେଇ ଅଡି ବସନ୍ତି। ହେଲେ ଏହି ଟିକେ କଥାରେ ତୃତୀୟ ଶ୍ରେଣୀର ନାବାଳିକା ଝିଅ ହିମାଂଶୀଙ୍କୁ ନିସ୍ତୁକ ମାଡ ମାରିଥିଲେ ସେହି ସ୍କୁଲର ପ୍ରିନ୍ସିପାଲ ଗୀତା କରଣ।
ଝିଅର ଆଖି ଫୁଟିଗଲା: ପ୍ରିନ୍ସିପାଲ ଜଣକୁ କୁନି ଝିଅଟିକୁ ଏପରି ନିସ୍ତୁକ ମାଡ ମାରିଥିଲେ ଯେ, ଝିଅଟି ଗୁରୁତର ହୋଇ ପଡିଥିଲା। ଆଉ ତାର ବାମ ପଟ ଆଖିରେ ଆଘାତ ଲାଗିଥିଲା। ଫଳରେ ଝିଅଟି ତାର ଦୃଷ୍ଟି ଶକ୍ତି ହରାଇଛି।
ଏହି ଘଟଣା ସମ୍ପର୍କରେ ବୁଝିବା ପାଇଁ ଯେତେବେଳେ ପୀଡିତାଙ୍କ ମା ସ୍କୁଲକୁ ଯାଇଥିଲେ। ସେତେବେଳେ ପ୍ରିନ୍ସପାଲ ଜଣଙ୍କ ତାଙ୍କୁ ବି ମାଡ ମାରିଥିବା ଅଭିଯୋଗ କରିଛନ୍ତି ଝିଅର ମା।
ମାମଲା: ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ବୁଧବାର ଦିନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି। ସେହି ସମୟରେ, ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ସହରାଞ୍ଚଳର ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ଗୁପ୍ତା ଏହି ମାମଲାର ତଦନ୍ତ କରିବେ। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।