fbpx

ବିପଦରେ ପ୍ରିଣ୍ଟ ମିଡିଆର ଭବିଷ୍ୟତ? ବଢ଼ିଚାଲିଛି ଡିଜିଟାଲର ପ୍ରାଧାନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଡିଜିଟାଲର ପ୍ରଧାନ୍ୟ ବଢ଼ିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜିନେସ୍, ଗଣମାଧ୍ୟମ, ପରିବହନ ଆଦି ବିଭିନ୍ନ କ୍ଷେତ୍ର ବିଶେଷ ଭାବେ ଅନଲାଇନ୍ ଉପରେ ପ୍ରାୟତଃ ନିର୍ଭରଶୀଳ । ଧୀରେଧୀରେ ଜନସାଧାରଣ ଅନଲାଇନକୁ ଅଧିକ ପସନ୍ଦ କରିବାରେ ଲାଗିଲେଣି । ତେବେ ଏହି କାରଣରୁ ଦେଶ ତଥା ରାଜ୍ୟର ଅନେକ ବଡ଼ ବଡ଼ ସମ୍ବାଦପତ୍ର, ପତ୍ରିକାମାନ ବନ୍ଦ ହୋଇଯାଉ ଥିବାର ଦେଖିବାକୁ ମିଳୁଛି । ଅନେକ ଛାପା ଗଣମାଧ୍ୟମ ବା ପ୍ରିଣ୍ଟ ମିଡିଆ ଆଜିର ଇଣ୍ଟରନେଟର ଯୁଗରେ ପ୍ରତିଦ୍ୱନ୍ଦ୍ୱିତା କରିନପାରି ସେମାନଙ୍କର ସଂସ୍କରଣକୁ ହ୍ରାସ କରିଦେଉଛନ୍ତି ।। ତେବେ ଏଠାରେ ପ୍ରଶ୍ନ ଉଠୁଛି, କ’ଣ ହେବ ଛାପା ଗଣମାଧ୍ୟମର ଭବିଷ୍ୟତ ।

ବିଶେଷ କରି ଯଦି ଆମେ ଓଡ଼ିଶା କଥା ଆଲୋଚନା କରିବା, ତେବେ ଏଠାରେ ମଧ୍ୟ ଛାପା ଗଣମାଧ୍ୟମର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି । ସମାଜ, ସମ୍ବାଦ, ପ୍ରମେୟ, ଧରିତ୍ରୀ, ଓଡ଼ିଶା ଭାସ୍କର, ପ୍ରଗତିବାଦୀ, ସମ୍ବାଦ କଳିକା, ସର୍ବସାଧାରଣ ପରି ଓଡ଼ିଶାର ଅନେକ ଦୈନିକ ଖବରକାଗଜମାନେ ସେମାନଙ୍କର ଦୈନିକ ପୃଷ୍ଠା ସଂଖ୍ୟା ଅଧିକାଂଶ ସମୟରେ ସୀମିତ ରଖିବାକୁ ବାଧ୍ୟ ହେଉଛନ୍ତି । ମଧ୍ୟମ ତଥା କ୍ଷୁଦ୍ର ପେପରମାନଙ୍କର ଅବସ୍ଥା ତ ଆଲୋଚନା ନ କରିବା ଭଲ । ଅନେକ ସଂସ୍ଥାରେ କର୍ମଚାରୀମାନେ ନିୟମିତ ଦରମା ଗଣ୍ଡାକ ମଧ୍ୟ ନ ପାଇ ହଇରାଣ ହରକତ ହେଉଥିବା ଦେଖାଯାଉଛି ।

ବର୍ତ୍ତମାନ ଅଧିକାଂଶ ନ୍ୟୁଜ୍ ପେପର କମ୍ପାନୀମାନଙ୍କରେ ଛଟେଇ କରାଯାଉଥିବା ବେଳେ ନ୍ୟୁଜ୍ ଚ୍ୟାନେଲ, ପୋର୍ଟାଲ, ୟୁ-ଟ୍ୟୁବ ଚ୍ୟାନେଲମାନଙ୍କରେ ପ୍ରାୟ ସମୟରେ ଚାକିରି ଉପଲବ୍ଧ ରହୁଛି ଓ ଆଗକୁ ଏହି ସୁଯୋଗ ବଢ଼ିବ ବୋଲି ଅନୁମାନ କରାଯାଉଛି । ଛାପା ଗଣମାଧ୍ୟମର ଭବିଷ୍ୟତକୁ ନେଇ ଉଭୟ ମାଲିକ ଓ କର୍ମଚାରୀମାନେ ଭୀଷଣ ଚୀନ୍ତାରେ ପଡ଼ିଯାଇଛନ୍ତି । ୫-୨୫ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ମିଡିଆ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ଅନେକ ଷ୍ଟାଫ୍ ଏବେ ଉକ୍ତ କ୍ଷେତ୍ରରେ କାମ ପାଉନଥିବା ଦେଖାଯାଉଛି । ଅଧିକାଂଶ ପେପର ମାଲିକମାନେ ଏବେ ଦୈନିକ ଖବରକାଗଜ ଅପେକ୍ଷା ନିଜକୁ ଡିଜିଟାଲ କ୍ଷେତ୍ରରେ ପ୍ରବେଶ କରାଇବାରେ ବ୍ୟସ୍ତ ରହିଛନ୍ତି । ୱେବ୍ ପୋର୍ଟାଲ, ଫେସବୁକ୍ ପେଜ, ଫେସବୁକ ଗ୍ରୁପ, ହ୍ୱାଟସଆପ୍ ଗ୍ରୁପ, ଟେଲିଗ୍ରାମ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ୟୁ-ଟ୍ୟୁବ୍ ଚ୍ୟାନେଲଙ୍କ ଅଗଣତି ସଂଖ୍ୟା ମଧ୍ୟରେ ଆମର ଖବରକାଗଜକୁ ପ୍ରାୟତଃ କେହି ଖୋଜୁ ନଥିବା ପରି ଜଣାପଡ଼ୁଛି । ଗୋଟିଏ ପଟେ ଡିଜିଟାଲର ତୀବ୍ର ବେଗରେ ଉଦ୍ଧ୍ୱର୍ମୁଖୀ ଓ ଅନ୍ୟ ପଟରେ କରୋନା ମହାମାରୀର ଆବିର୍ଭାବ ସତେ ଯେପରି ଅନେକ ଖବରକାଗଜକୁ ଜନମାନସରୁ ସବୁଦିନ ପାଇଁ ହଜାଇ ଦେଇଛି ।

ତେବେ ଆମେମାନେ ସମସ୍ତେ ବୁଝିବା ଦରକାର ଯେ, ସମାଜ ସର୍ବଦା ପରିବର୍ତ୍ତନଶୀଳ । ପରିବର୍ତ୍ତନକୁ ତାଳ ଦେଇ ଯିଏ ଚାଲିପାରିଲା, ସିଏ ଜୀବନରେ କେବେ ହାରିବ ନାହିଁ । ତେଣୁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆମର ଭାଇ ଓ ଭଉଣୀମାନେ ଏକଥା ବୁଝିବା ଦରକାର, ନିଜକୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରଖିବା ଦରକାର । ଆଉ ଗୋଟିଏ କଥା, ଯଦି ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଡିଆ କ୍ଷେତ୍ରକୁ ଉପଯୁକ୍ତ ପ୍ରୋତ୍ସାହନ ମିଳନ୍ତା, ତେବେ ପ୍ରିଣ୍ଟ ମିଡିଆ ଯେ ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ, ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.