fbpx

ପ୍ରିୟଦର୍ଶିନୀକୁ ମାରି ଅଜଣା ପୁରୁଷ କରୁଥିଲା ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । କିନ୍ତୁ ପୂରା ସସ୍ପେନ୍ସ । କିଏ କାହିଁକି ମାରିଲା ପ୍ରିୟଦର୍ଶିନୀଙ୍କୁ? ସମାନ ଘରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ପୁରୁଷ ଜଣଙ୍କ କିଏ? ମହିଳାଙ୍କ ସ୍ୱାମୀ ଚୁପ୍ କାହିଁକି? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଛି ଭୀମଟାଙ୍ଗି ମର୍ଡର ମଷ୍ଟ୍ରିକୁ ନେଇ ।
ସୂଚନା ଅନୁସାରେ, ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ରେ ଏହି ହତ୍ୟାକାଣ୍ଡ ଘଟିଛି । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ । ତାଙ୍କର କୁନିପୁଅକୁ ୩ବର୍ଷ ବୟସ । ତେବେ ଏଭଳି ହତ୍ୟାକାଣ୍ଡ କିଏ କେମିତି କାହିଁକି କଲା ପ୍ରଶ୍ନ ଭିତରେ ସେହି ଏକା ଘରୁ ଜଣେ ଅଜଣା ପୁରୁଷ ଗୁରୁତର ଅବସ୍ଥାରେ ଉଦକ୍ଧାର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଥିବାବେଳେ ସେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ସାମ୍ନାକୁ ଆସିନାହାନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳାର ମୂଳ ବାସିନ୍ଦା ରାକେଶ ସାହୁ ଓ ପ୍ରିୟଦର୍ଶିନୀ ପ୍ରାୟ ୫ ବର୍ଷ ଧରି ଭୀମଟାଙ୍ଗି ପ୍ଲଟ୍ ଏ/ଏଲ୍-୧ରେ ଭଡ଼ାରେ ରହୁଥିଲେ । ସେମାନଙ୍କ ଏକ ସନ୍ତାନ ରହିଛି । ରାକେଶ ଏକ ପ୍ରାଇଭେଟ୍ କମ୍ପାନିରେ ଚାକିରି କରୁଥିବାବେଳେ ତାଙ୍କର କେତେକ ବନ୍ଧୁ କହିଛନ୍ତି ଯେ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସେ ସେଭଳି ବ୍ୟସ୍ତବିବ୍ରତ ଜଣାପଡୁନାହାନ୍ତି । ଦିନ ୧୧ଟାରେ ସେ କୁଆଡ଼େ ତାଙ୍କ ଅଫିସ୍ରେ ଥିଲେ ବୋଲି ସୂଚନା ମିଳିଛି ।

ପ୍ରାଥମିକ ତଦନ୍ତରୁ ଉକ୍ତ ଅଜଣା ପୁରୁଷ ହିଁ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏଥିସହ ନିଜେ ନିଜକୁ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଘର ମାଲିକ ସୁଧାକର ମହାରଣା ହେଉଛନ୍ତି ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ । ତାଙ୍କର ମତାମତ ମିଳିପାରିନି । ଘଟଣାସ୍ଥଳରେ ଏୟାର୍ ଫିଲ୍ଡ ଥାନା ଅଧିକାରୀ, ଏସିପି ଓ ଭୁବନେଶ୍ୱର ଡିସିପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ତନାଘନା ଚଳାଇଛନ୍ତି ।

Get real time updates directly on you device, subscribe now.