ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଗୋଟିଏ ପଟରେ ବିଭିନ୍ନ ଜିନିଷର ଦରଦାମ୍ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ଦାଉ ସାଧିଛି। ଲଗାଣ ବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶି ଫସଲ ନଷ୍ଟ ହୋଇଛି। ଫଳରେ ପରିବା ଦର ଆକାଶ ଛୁଆଁ ହୋଇଛି। ବଜାରକୁ ଗଲେ ପକେଟ୍ ଖାଲି ହେଉଛି କିନ୍ତୁ ବ୍ୟାଗ୍ ଭର୍ତ୍ତି ହେଉ ନାହିଁ। ଆଳୁ ବ୍ୟତିତ ଆଉ୨ କୌଣସି ପରିବାର ଦର ୪୦ ତଳକୁ ନାହିଁ।
ରାଜଧାନୀର ପ୍ରମୁଖ ମାର୍କେଟ୍ କୁହାଯାଉଥିବା ୟନିଟ୍-୧ରେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଛୋଟ ଆଳୁ ୨୫ ଟଙ୍କା ରହିଛି। ସେହିପରି ପିଆଜ ୩୫ ଟଙ୍କା, ବାଇଗଣ ୬୦, ବନ୍ଧାକୋବି ୪୫, ପୋଟଳ ୪୦ରୁ ୬୦, ଟମାଟୋ ୫୦, ସଜନାଛୁଇଁ ୮୦ ଟଙ୍କା ଥିବାବେଳେ ବିନ୍ସ ଏବଂ ସିମଲା ଲଙ୍କାର ଦର ୧୦୦ଟଙ୍କା ରହିଛି। ଅନ୍ୟ ହାଟ ଏବଂ ଦୋକାନରେ ପରିବା ଦର କେଜି ପିଛା ୮୦ ଟଙ୍କା ଉପରେ ରହିଛି। ଏ ସମ୍ପର୍କରେ ରାଜଧାନୀ କଞ୍ଚା ପରିବା ବିକ୍ରେତା ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବନ୍ୟା ପାଇଁ ଏବେ ପରିବା ଦର ଅଧିକ ରହିଛି । ଆଗକୁ ମଧ୍ୟ କିଛିଦିନ ପାଇଁ ଏମିତି ଦର ରହିବ।
ଓଡ଼ିଶାକୁ ବାଙ୍ଗାଲୋରରୁ ବନ୍ଧାକୋବି, ଫୁଲକୋବି ବିନ୍ଧ, ସିମୂଲା, ଟମାଟୋ ଆଦି ପରିବା ଆମଦାନୀ ହୋଇଥାଏ। ସେହିପରି ତାମିଲନାଡୁରୁ ସଜନାଛୁଇଁ, କଖାରୁ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା , ପଶ୍ଚିମବଙ୍ଗରୁ ବାଇଗଣ, କାଙ୍କଡ, ପୋଟଳ, ଅମୃତଭଣ୍ଡା, ଇନ୍ଦୋରରୁ ଗାଜର ଆମଦାନୀ ହେଉଛି। ସାଧାରଣତଃ ୮୦ ପ୍ରତିଶତ ପରିବା ବାହାର ରାଜ୍ୟରୁ ଆସୁଥିବାବେଳେ ଓଡ଼ିଶାରୁ ୨୦ ପ୍ରତିଶତ ରହିଛି। ଏହି କାରଣରୁ ରାଜ୍ୟରେ ପରିବା ଦର ଅଧିକ ରହିଛି।