ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସୁସାହିତ୍ୟିକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଳା । ୧୯୨୦ ମସିହା ଅଗଷ୍ଟ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ପୂର୍ଣ୍ଣଚନ୍ଦ୍ର ୧୯୩୬ ମସିହାରେ ମହାତ୍ମା ଗାନ୍ଧିଙ୍କ ସୂତାକଟା ଅଭିଯାନରେ ସାମିଲ ହୋଇଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
ପୂର୍ଣ୍ଣଚନ୍ଦ୍ରଙ୍କ ପରି ଜଣେ ସ୍ୱାଧୀନତା ସଂଗ୍ରାମଙ୍କୁ ହରାଇ ଜନ୍ମମାଟି ଜଳେଶ୍ୱରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁରେ ବିଧାୟକ, ଏନଏସି ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ଶିକ୍ଷାବିତ, ଅନେକ ଶୁଭେଚ୍ଛୁ ଶୋକ ପ୍ରକାଶ କରିଛନ୍ତି । ବିଭିନ୍ନ ଅଞ୍ଚଳର ଲୋକମାନେ ତାଙ୍କର ବାସଭବନରେ ଭିଡ଼ ଜମାଇବା ସହିତ ଅନ୍ତିମ ଦର୍ଶନ କରିଥିଲେ ।
ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୨୦୨୨ ମସିହା ଅଗଷ୍ଟ ୧୫ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୂର୍ଣ୍ଣଚନ୍ଦ୍ରଙ୍କୁ ସମ୍ମାନିତ କରିଥିଲେ । ସେ ଅଧ୍ୟାତ୍ମିକ ବିଷୟକୁ ନେଇ ଦୁଇଟି ପୁସ୍ତକ ‘ଅଭିପ୍ସା’ ଓ ଆସ୍ପୃହା’ ରଚନା କରିଥିଲେ । ଏଥିସହିତ ଶ୍ରୀଅରବିନ୍ଦଙ୍କ ଅଲୌକିକ ଜୀବନୀକୁ ନେଇ ‘ଶ୍ରୀଅରବନ୍ଦାୟନ’ ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ । ୧୯୪୮ ମସିହା ଜାନୁଆରୀ ୩୦ରେ ଗାନ୍ଧିଜୀଙ୍କ ହତ୍ୟାର ବିବରଣୀକୁ ନେଇ ସେ ‘ବାପୁଜୀ’ ନାମକ ଏକ ଗୀତି କବିତା ପ୍ରକାଶ କରିଥିଲେ । ୧୯୪୬ ମସିହାର ‘ହରିଜନ ଆନ୍ଦୋଳନ’କୁ ତେଜିୟାନ କରିବାକୁ ସେ ‘ଅଛୁଆଁ କିଏ’ ପୁସ୍ତକ ରଚନା କରିଥିଲେ ।