ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ଏକାଠି ରହିବା ଏକପ୍ରକାର ବିବାହ, ସମ୍ପତ୍ତିରେ ବି ଅଛି ପୁଅର ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ପୁରୁଷ ଓ ମହିଳା ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ରୁହନ୍ତି, ତେବେ ଆଇନ ହିସାବରେ ତାକୁ ବାହାଘର ବୋଲି ବିବେଚନା କରାଯିବ ଓ ତାଙ୍କ ପୁଅକୁ ପୈତୃକ ସମ୍ପତ୍ତିରେ ବଞ୍ଚିତ କରାଯାଇ ପାରିବ ନାହିଁ । ସୋମବାର ଦିନ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ବିବାହର ପ୍ରମାଣ ଅଭାବରୁ ଲିଭ-ଇନରେ ରହୁଥିବା ପୁରୁଷ ଓ ମହିଳାଙ୍କ ପୁଅକୁ ପୈତୃକ ସମ୍ପତ୍ତିରେ ଭାଗ ମିଳିପାରିବନି ବୋଲି କେରଳ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ, ଯାହାକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି । ଜଷ୍ଡିସ୍ ଏସ ଅବଦୁଲ ନଜୀର ଓ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ କହିଛି ଯେ, ଯଦି କୌଣସି ପୁରୁଷ ଓ ମହିଳା ସ୍ୱାମୀ-ସ୍ତ୍ରୀ ଭାବେ ଦୀର୍ଘ ସମୟ ଧରି ଏକାଠି ରହୁଛନ୍ତି, ତେବେ ତାକୁ ବାହାଘର ଭାବେ ଗଣାଯିବ । ସାକ୍ଷ୍ୟ ଅଧିନିୟମର ଧାରା ୧୧୪ ଅଧିନରେ ଏପରି ଅନୁମାନ କରାଯାଇ ପାରିବ ।

ତେବେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ପରେ ଜନ୍ମ ହୋଇଥିବା ଶିଶୁକୁ ପୈତୃକ ସମ୍ପତ୍ତିରେ ଭାଗ ଦେବା ପାଇଁ ତଳ କୋର୍ଟଙ୍କ ଏକ ନିଷ୍ପତ୍ତିକୁ ଖାରଜ କରିଥିଲେ କେରଳ ହାଇକୋର୍ଟ । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ, ଆବେଦନକାରୀଙ୍କ ପିତାମାତା ଦୀର୍ଘ ସମୟ ଧରି ଏକାଠି ରହୁଥିବାର କୌଣସି ପ୍ରମାଣ ନାହିଁ । ଦଲିଲଗୁଡ଼ିକ କେବଳ ପ୍ରମାଣିତ କରେ ଯେ ଆବେଦନକାରୀ ଉଭୟଙ୍କର ପୁତ୍ର, କିନ୍ତୁ ସେ ଜଣେ ବୈଧ ପୁତ୍ର ନୁହଁନ୍ତି । ଏଥିପାଇଁ ସମ୍ପତ୍ତି ବାଣ୍ଟିବାକୁ ହାଇକୋର୍ଟ ମନା କରିଦେଇଥିଲେ ।

କିନ୍ତୁ ଏବେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି । ଯେତେବେଳେ ମହିଳା ଓ ପୁରୁଷ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିବା କଥାକୁ ପ୍ରମାଣ କରିଛନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କକୁ ଆଇନଗତ ବିବାହ ଭାବେ ଗଣାନା କରାଯିବ । ଏବଂ ତାଙ୍କୁ ପୁଅକୁ ପୈତୃକ ସମ୍ପତ୍ତିରୁ କେହି ବି ବଞ୍ଚିତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।