ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ଆଇପିଏଲର କ୍ରେଜ ଦେଖିବାକୁ ମିଳିଛି । କିନ୍ତୁ ସେପଟେ ନିଜ ବ୍ୟାଟିଂର ଜଲୱା ଦେଖାଉଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ସୁପରଷ୍ଟାର ଚେତେଶ୍ୱର ପୂଜାରା । ସାତ ସିନ୍ଧୁ ପାର କରି ଇଂଲଣ୍ଡ ମଇଦାନରେ ସେ ଏକ ଦମଦାର ଶତକ ଅର୍ଜନ କରିଛନ୍ତି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପୂର୍ବରୁ ଇଂଲଣ୍ଡ ମାଟିରେ ପୂଜାରାଙ୍କ ଏହି ପାଳି ଭାରତକୁ ଆହୁରି ଆଶ୍ୱସ୍ତି ଦେଇଛି । ଇଂଲଣ୍ଡର କାଉଣ୍ଟି କ୍ରିକେଟରେ ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା ।
ସସେକ୍ସ ଦଳ ବର୍ତ୍ତମାନ ପୂଜାରାଙ୍କୁ ଦଳର ଅଧିନାୟକ ଭାବରେ ନିୟୋଜିତ କରିଛି । ତେବେ ନେତୃତ୍ୱ ପାଇବା ପରେ ଡରହମ ବିପକ୍ଷ କାଉଣ୍ଟି ଚମ୍ପିଆନସିପ, ଡିଭିଜନ-୨ ମ୍ୟାଚର ଦ୍ୱିତୀୟ ଦିନରେ ଦମଦାର ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା । ପ୍ରଥମ ଇନିଂସରେ ଡରହମ ବ୍ୟାଟିଂ କରି ୩୭୬ ରନ କରିଥିବା ବେଳେ ସସେକ୍ସ ପକ୍ଷରୁ ୪୪ ରନରେ ହିଁ ୨ଟି ୱିକେଟର ପତନ ଘଟିଥିଲା । ଏହାପରେ ଦଳକୁ ସମ୍ଭାଳିବା ପାଇଁ ମଇଦାନକୁ ଓହ୍ଲାଇଥିଲେ ଅଧିନାୟକ ପୂଜାରା । ଦମଦାର ବ୍ୟାଟିଂ କରିବା ସହ ୫୫ତମ ଓଭରର ପଞ୍ଚମ ବଲରେ ଚୌକା ମାରି ପୂଜାରା ଶତକ ହାସଲ କରିଛନ୍ତି । ୧୩୩ ବଲରୁ ୧୨ଟି ଚୌକା ଏବଂ ଗୋଟିଏ ଛକା ସହ ସେ ନିଜ ଶତକରେ ପହଞ୍ଚିଥିଲେ ।
Magical 🧙♂️
💯 @cheteshwar1 pic.twitter.com/nZ1J3cxnit
— Sussex Cricket (@SussexCCC) April 7, 2023
ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପୂର୍ବରୁ ଇଂଲଣ୍ଡ ମାଟିରେ ପୂଜାରାଙ୍କ ଏହି ଶତକ ଭାରତ ପାଇଁ ବରଦାନ ସଦୃଶ ହୋଇଛି । ଆସନ୍ତା ଜୁନରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ଖେଳିବ ଟିମ ଇଣ୍ଡିଆ । ତେଣୁ ପୂଜାରା ଏହି ମ୍ୟାଚରେ ଏକ ପ୍ରମୁଖ ଭୂମିକା ତୁଲାଇପାରନ୍ତି । ଦଳର ସବୁଠୁ ଅଭିଜ୍ଞ ଟେଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ତାଙ୍କ ଉପରେ ଦଳକୁ ଆଗେଇ ନେବାର ଦାୟିତ୍ୱ ଦେଇପାରନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ।