ନୂଆଦିଲ୍ଲୀ: ଆସନ୍ତା ମାସରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ ପଦରୁ ଇସ୍ତଫା ଦେବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଇଚ୍ଛା ବ୍ୟକ୍ତ କରିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ)ର ସୁପ୍ରିମୋ ଅରବିନ୍ଦ୍ର କେଜ୍ରିୱାଲଙ୍କ ନିକଟରେ ଶ୍ରୀ ମାନ ଏନେଇ ମତବ୍ୟକ୍ତ କରିଥିବା ଜଣାପଡ଼ିଛି । ଏଥିସହିତ ଏହି ପଦ ଛାଡ଼ିବା ପଛର କାରଣ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତେଣୁ ଏବେ ଶ୍ରୀ ମାନଙ୍କୁ ନେଇ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସୂଚନା ମୁତାବକ, ଆପର ପଞ୍ଜାବ ମୁଖ୍ୟ ପଦ ଛାଡ଼ିବା ନେଇ ଶ୍ରୀ ମାନ ଇଚ୍ଛା ବ୍ୟକ୍ତ କରିଛନ୍ତି । ପଞ୍ଜାବରେ ଆପର ସଂଯୋଜକ ପଦରୁ ସେ ଅବ୍ୟାହତି ନେବା ପରେ ଅନ୍ୟ କାହାକୁ ଏହି ଦାୟିତ୍ୱ ଦିଆଯାଉ ବୋଲି ଶ୍ରୀ ମାନ୍ ଚାହୁଁଛନ୍ତି । ଅନ୍ୟମାନଙ୍କୁ ଦଳରେ ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପଦ ଭଳି ଏକ ବଡ଼ ଦାୟିତ୍ୱ ରହିଥିବା ବେଳେ ସେ ଗତ ୭ ବର୍ଷ ଧରି ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଥିସହିତ ପଞ୍ଜାବରେ ଆପର ସଂଯୋଜକ ପଦ ମଧ୍ୟ ସମ୍ଭାଳି ଆସୁଛନ୍ତି । ସେ ଏହି ପଦ ଛାଡ଼ିବା ଫଳରେ ଅନ୍ୟ ନେତାମାନେ ସଂଗଠନକୁ ଅଧିକ ସମୟ ଦେଇ ପାରିବେ ବୋଲି ସେ ସୁପ୍ରିମୋଙ୍କ ନିକଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୪ରେ ଶ୍ରୀ ମାନ ଆପରେ ସାମିଲ ହୋଇଥିଲେ । ୨୦୧୭ରେ ପ୍ରଥମ ଥର ପାଇଁ ତାଙ୍କୁ ଆପର ସଂଯୋଜକ / ମୁଖ୍ୟ ପଦ ଦିଆଯାଇଥିଲା । ୨୦୧୮ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ୨୦୧୯ରେ ଦ୍ୱିତୀୟ ଥର ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।