fbpx

BSsupର ଅଧିକାର କ୍ଷେତ୍ର ବୃଦ୍ଧି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ପଞ୍ଜାବ ସରକାର

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରିବା ନେଇ ବିବାଦ ଘନେଇବାରେ ଲାଗିଛି। ମାମଲା ଏବେ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମରେ ବିଏସଏଫର ଅଧିକାର କ୍ଷେତ୍ରକୁ ଅନ୍ତର୍ଜାତୀୟ ସୀମାଟୁ ୫୦ କିମି ଦୂର ପର୍ଯ୍ୟନ୍ତ ବଢାଇବା ବିରୋଧରେ ପଞ୍ଜାବ ସରକାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ମୋକଦ୍ଦମା ଶୁକ୍ରବାର ରେଜିଷ୍ଟ୍ରାରଙ୍କ ସାମ୍ନାରେ ସୂଚୀବଦ୍ଧ କରାଯାଇଛି। ଏପରିକି ଆଟର୍ଣ୍ଣି ଜେନେରାଲଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି। ଚାରି ସପ୍ତାହ ପରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲା ଉପରେ ଶୁଣାଣି କରିବେ।
ପଞ୍ଜାବ ସରକାର ଏବଂ ଏହାର ଆଇନଗତ ଦଳକୁ ଅଭିନନ୍ଦନ ଜଣାଇ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ସଙ୍ଘୀୟ ଢାଞ୍ଚା ଏବଂ ରାଜ୍ୟର ସ୍ଵାୟତତ୍ତାକୁ ବଜାୟ ରଖିବା ଏବଂ ସମ୍ବିଧାନର ନିହିତ ସିଦ୍ଧାନ୍ତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଏହା ପୂର୍ବରୁ ସିଦ୍ଧୁ କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଥିଲେ, ସରକାର ଦେଶର ସଙ୍ଘୀୟ ଢାଞ୍ଚାକୁ ଦୁର୍ବଳ କରୁଛନ୍ତି।
ଅକ୍ଟୋବରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କେନ୍ଦ୍ରର ନିଷ୍ପତ୍ତିର ସମାଲୋଚନା କରିଥିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତି ଅସନ୍ତୋଷ ପ୍ରକଟ କରିଛନ୍ତି। କେନ୍ଦ୍ରର ସଦ୍ୟତମ ନିଷ୍ପତ୍ତି ପୂର୍ବରୁ ବିଏସଏଫର ଅଧିକାର କ୍ଷେତ୍ର ଅନ୍ତର୍ଜାତୀୟ ସୀମାଠୁ ୧୫ କିଲୋମିଟର ପରିଧିରେ ଥିଲା। ବିଏସଏଫକୁ ନିଜର ଅଧିକାର କ୍ଷେତ୍ରରେ ଗିରଫଦାରୀ, ତଲାସି ଏବ ଜବତ କରିବାର ଅଧିକାର ରହିଛି।

Get real time updates directly on you device, subscribe now.