fbpx

ମହାପ୍ରଭୁଙ୍କ ଘୋଷଯାତ୍ରାରେ ଭିଜିବ ସାରା ଓଡ଼ିଶା: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Advertisement

ଭୁବନେଶ୍ବର: ମହାପ୍ରଭୁଙ୍କ ଘୋଷଯାତ୍ରାରେ ଭିଜିବ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘୋଷଯାତ୍ରା ଦିନ ଅର୍ଥାତ୍‌ ୭ ତାରିଖରେ ପୁରୀରେ ପ୍ରବଳ ବର୍ଷା(୭୦ରୁ ୧୧୦ ମିମି) ହୋ‌ଇପାରେ। ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ(୧୨୦ରୁ ୨୦୦ ମିମି) ଏବଂ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ୮ ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ପଶ୍ଚିମ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ବଡ଼ ବର୍ଷା ହେବାର ନାହିଁ। ତେବେ ୬ ତାରିଖ‌ରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ୍‌ ୧ରୁ ଆଜି ସୁଦ୍ଧା ଅର୍ଥାତ୍‌ ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୪୭.୪ ମିମି ବର୍ଷା ହେବା କଥା। ମାତ୍ର ୧୮୫.୨ ମିମି ହୋଇଛି, ଯାହାକି ସ୍ବାଭାବିକ ଠାରୁ ୨୫% ନିଅଣ୍ଟିଆ। ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ନିଅଣ୍ଟିଆ ସ୍ଥିତି ଲାଗିରହିଛି। ୧୧ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ସର୍ବାଧିକ ୬୩.୪ ମିମି ବର୍ଷା ହୋଇଛି। ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୫୮.୨, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୬.୮, ଦେବଗଡ଼ ଜିଲ୍ଲାର ରିଆମାଳରେ ୪୪.୮, ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୪୨, ଗୁରୁଣ୍ଡିଆରେ ୪୧, ଲେଫରିପଡ଼ାରେ ୪୦.୨, ଢାଙ୍କାଉଡ଼ାରେ ୪୦, ସମ୍ବଲପୁରରେ ୩୭.୮ ମିମି ବର୍ଷା ହୋଇଛି। ଆଜି ସକାଳୁ ସନ୍ଧ୍ୟା ମଧ୍ୟରେ ଖୋର୍ଦ୍ଧାରେ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବା ସହ ମେଘୁଆ ପାଗ ଲାଗିରହିଥିବାରୁ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି।

Get real time updates directly on you device, subscribe now.