ଖୁବଶୀଘ୍ର ବଦଳିବ ଶ୍ରୀମନ୍ଦିରର ଅବଢ଼ା ଚାଉଳ, 10ରେ ଏହି ସ୍ଥାନରେ ବସିବ ବୈଠକ ! ଆଉ ସାର ଦିଆ ଚାଉଳ ହେବନି ରୋଷେଇ
ବିନା ସାର ଦିଆ ଚାଉଳରୁ ପ୍ରସ୍ତୁତ ହେବ ଶ୍ରୀମନ୍ଦିରର ଅବଢ଼ା ।
ଭୁବନେଶ୍ବର: ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ । ଏଣିକି ରାସାୟନିକମୁକ୍ତ ଚାଉଳ ଅର୍ଥାତ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ଅବଢା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ତେବେ କେବେ ଠାରୁ ଏହା ଲାଗୁ କରାଯିବ ନେଇ ସେନେଇ କୌଣସି ତାରିଖ ଘୋଷଣା ହୋଇନଥିବା ବେଳେ ଆସନ୍ତା 10 ତାରିଖରେ ଭୁବନେଶ୍ବରର କୃଷି ଭବନରେ ଏନେଇ ବୈଠକ ବସିବା ନେଇ ସୂଚନା ରହିଛି ।
ଅବଢ଼ା ନେଇ ବସିବାକୁ ଥିବା ବୈଠକରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢି ଏହି ବୈଠକର ଅଧ୍ୟକ୍ଷତା କରିବେ । ତେବେ ଏହି ବୈଠକରେ ସୁଆରମହାସୁଆର ନିଯୋଗର ସଭାପତି ଏବଂ ସମ୍ପାଦନ ଯୋଗ ଦେଇପାରନ୍ତି ।
ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଚିଠି ଲେଖିଛନ୍ତି । ତେବେ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଅବଢ଼ାର ଚାଉଳ ରସାୟନମୁକ୍ତ କରିବା ପାଇଁ ଆଲୋଚନା କରାଯିବା କଥା ଚିଠିରେ ଉଲ୍ଲେଖ ରହିଛି ।, ଏହାକୁ ବିଭିନ୍ନ ମହଲରୁ ସ୍ବାଗତ ମଧ୍ୟ କରାଯାଇଛି ।