ଦୌଡ଼ି ଆସିଲେ ପାକିସ୍ତାନରୁ, ମହାକୁମ୍ଭରେ ବୁଡ଼ ପକାଇ କଲେ ପୂର୍ଣ୍ଣ୍ୟ ଅର୍ଜନ

ମାଇଲ୍ ମାଇଲ୍ ଦୂର ଅତିକ୍ରମ କରି ମହାକୁମ୍ଭରେ ପହଞ୍ଚିଲେ ପାକିସ୍ତାନୀ। ତ୍ରିବେଣୀରେ ବୁଡ଼ ପକାଇଲେ ଏବଂ ପୂର୍ବ ପୁରୁଷଙ୍କ ଅସ୍ତି ମଧ୍ୟ ବିସର୍ଜନ କଲେ।

ଉତ୍ତରପ୍ରଦେଶ: ମହାକୁମ୍ଭରେ ଜମୁଛି ଭକ୍ତଙ୍କ ଭିଡ଼। କାହିଁ କେତେ ଦୂରା ଦୂରନ୍ତରରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଖାଲି ଟିକେ ପବିତ୍ର ଭୂମିରେ ପାଦ ଥାପିବେ। ଆଉ ତ୍ରିବେଣୀରେ ବୁଡ଼ ପକାଇବେ।

ଆଉ ଏଥିରୁ କେମିତି ବା ବାଦ୍ ପଡିଥାନ୍ତେ ପାକିସ୍ତାନି ଭକ୍ତ। ସେ ଯେଉଁଠି ବି ଥାଆନ୍ତୁ ନା କାହିଁକି, ମହାକୁମ୍ଭ ଭଳି ପବିତ୍ର ସ୍ଥାନରେ ବୁଡ ପକାଇବାକୁ ଆଗ୍ରହ ଆସିଲା। ଆଉ ମାଇଲ ମାଇଲ ପଥ ଅତିକ୍ରମ କରି ମହାକୁମ୍ଭରେ ବୁଡ଼ ପକାଇବାକୁ ଦୌଡ଼ି ଆସିଲେ।

ଏତେଦୂର କାହିଁକି ଆସିଲେ: ତେବେ ଏଠି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ପାକିସ୍ତାନୀମାନେ ସତରେ କ’ଣ ଆମ ପରମ୍ପରାକୁ ମାନନ୍ତି। ଆଉ ଏଥିପାଇଁ ଏତେ ଦୂରରୁ ମହାକୁମ୍ଭକୁ ଦୌଡି ଆସିଛନ୍ତି।

ହେଲେ ପ୍ରକୃତ କଥା ହେଉଛି, ପାକିସ୍ତାନରୁ ୬୮ଜଣ ଭକ୍ତ ପ୍ରୟାଗରାଜ ଆସିଛନ୍ତି ସତ। କିନ୍ତୁ ଏମାନେ ପ୍ରକୃତରେ ପାକିସ୍ତାନୀ ନୁହଁନ୍ତି। ପାକିସ୍ତାନରେ ରହୁଥିବା କିଛି ହିନ୍ଦୁ ଭକ୍ତ। ଯେଉଁମାନେ କି ତ୍ରିବେଣୀରେ ଗୁରୁବାର ଦିନ ବୁଡ଼ ପକାଇଛନ୍ତି।

ଅସ୍ତି ବିସର୍ଜନ:  କାହିଁ କେଉଁ କାଳରୁ ପ୍ରଥା ରହିଆସିଛି କି, ଗଙ୍ଗା କିମ୍ୱା ତ୍ରିବେଣୀ ସଙ୍ଗମ ଭଳି ପବିତ୍ର ସ୍ଥାନରେ ଆମ ପୂର୍ବ ପୁରୁଷଙ୍କ ଅସ୍ତି ବିସର୍ଜନ କଲେ, ସେମାନେ ମୋକ୍ଷ ପାଇଥାନ୍ତି। ଏବଂ ପୁର୍ନଜନ୍ମ ଲାଭ କରନ୍ତି।

ଏକଥାକୁ ପ୍ରାୟ ସମସ୍ତ ହିନ୍ଦୁମାନେ ବିଶ୍ୱାସ କରନ୍ତି। ତେଣୁ ପାକିସ୍ତାନରୁ ଏତେ ଦୂର ଦୌଡି ଆସିଥିବା ଭକ୍ତ ଏକଥାକୁ କେମିତି ବା ଭୁଲିପାରିଥାନ୍ତେ। ତେଣୁ ତ୍ରିବେଣୀରେ ବୁଡ ପକାଇବା ବେଳେ ପୂର୍ବ ପୁରୁଷଙ୍କ ଅସ୍ତି ବିସର୍ଜନ କଲେ। ଆଉ ସମସ୍ତ ଷ୍ଟଲ ବୁଲି ଖୁସି ମଧ୍ୟ ହେଲେ।