fbpx

ବେଲାରୁଷରେ ପରମାଣୁ ଅସ୍ତ୍ର ଠୁଳ କରୁଛି ରୁଷ, ୟୁକ୍ରେନକୁ ନେଇ ପୁଟିିନଙ୍କ ପରବର୍ତ୍ତୀ ଯୋଜନା କ’ଣ ରହିଛି ତାହାକୁ ନେଇ ଚିନ୍ତାରେ ବିଶ୍ୱ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଆହୁରି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ରୁଷ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଇଥିବା ଜଣାଯାଇଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଶୁକ୍ରବାର କହିଛନ୍ତି ମସ୍କୋ ବେଲାରୁଷକୁ ପ୍ରଥମେ ପରମାଣୁ ଅସ୍ତ୍ର ଶସ୍ତ୍ର ପଠାଇଛି । ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍ ଫୋରମ୍ କୁ ସମ୍ବୋନ୍ଧିତ କରି ପୁଟିନ୍ କହିଛନ୍ତି ଆହୁରି ପରମାଣୁ ଅସ୍ତ୍ର ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଶେଷ ସୁଦ୍ଧା ପଠାଯିବ ।

ୟୁକ୍ରେନ୍ ସୀମାକୁ ଲାଗି ରହିଥିବା ଦେଶରେ ରୁଷ ଏବେ ପରମାଣୁ ଅସ୍ତ୍ର ନିୟୋଜିତ କରୁଛି ବୋଲି ରୁଷ ଚେତାବନୀ ଦେଇଛି । ତେବେ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପୁଟିନ୍ କହିଛନ୍ତି, ଏହା ସେହି ସମସ୍ତ ଲୋକଙ୍କ ଲାଗି ଏକ ନିବାରକ ଉପାୟ ଯେଉଁମାନେ ରୁଷ ଓ ଏହାର ରଣନୀତିକ ପରାଜୟ ବିଷୟରେ ଚିନ୍ତା କରୁଛନ୍ତି । ତେବେ ପୁଟିନଙ୍କ ଏହି ଟିପ୍ପଣୀ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋଙ୍କ ସେହି ଦାବୀ ଉପରେ ମୋହର ଲଗାଇଛି ଯେଉଁଥିରେ ସେ କହିଥିଲେ ଯେ, ତାଙ୍କ ଦେଶକୁ ରୁଷରୁ ବମ୍ ଓ କ୍ଷେପଣାସ୍ତ୍ରର ପ୍ରଥମ ଷ୍ଟକ ଆସି ସାରିଛି । ଲୁକାଶେଙ୍କୋ ରୁଷ ଓ ବେଲାରୁଷର ସରକାରୀ ମିଡିଆକୁ କହିଛନ୍ତି, ଆମ ପାଖରେ ମିସାଇଲ୍ ଓ ବମ୍ ରହିଛି ଯାହା ଆମେ ରୁଷିଆରୁ ପାଇଛୁ । ଏହି ବମ୍ ହିରୋସୀମା ଓ ନାଗାସାକି ଉପରେ ପକା ଯାଇଥିବା ବମ୍ ଠାରୁ ୩ ଗୁଣ ଅଧିକ ଶକ୍ତିଶାଳୀ । ତେବେ ୧୯୯୧ ପରେ ରୁଷ ପୁନର୍ବାର ବିଦେଶ ମାଟିରେ ପରମାଣୁ ଅସ୍ତ ଶସ୍ତ୍ର ଠୁଳ କରିବାରେ ଲାଗିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଲୁକାଶେଙ୍କୋ ରୁଷର ମୁଖ୍ୟ ସହଯୋଗୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି ବେଲାରୁଷର ସୀମା ରୁଷ ଓ ୟୁକ୍ରେନ ଦୁଇ ଦେଶକୁ ଲାଗି ରହିଛି । ଯେତେବେଳେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ସେତେବେଳେ ଏହା ବେଲାରୁଷକୁ ହିଁ ଲଞ୍ଚ ପ୍ୟାଡ୍ ଭାବରେ ବ୍ୟବହାର କରିଥିଲା ଓ ନିଜର ଯୁଦ୍ଧ ଅଭିଯାନ ସଞ୍ଚାଳିତ କରିଥିଲା ।

Get real time updates directly on you device, subscribe now.