fbpx

ତାଇଓ୍ଵାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ, କ୍ଵାଡର ଘୋଷଣା- ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁନି

ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଅନେକ ସହର। ଦେଶରେ ଚାରିଆଡେ ହାହାକାର ପରିସ୍ଥିତି। ଅନ୍ୟପଟେ ତାଇଓ୍ଵାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ। ତେବେ ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁ ନାହିଁ ବୋଲି ଖୋଲାଖୋଲି କହିଛନ୍ତି କ୍ଵାଡ ଦେଶ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ। କ୍ଵାଡ୍ ତରଫରୁ ଏହି ଘୋଷଣା ସେହି ସମୟରେ କରାଯାଇଛି, ଯେଉଁ ସମୟରେ ୟୁକ୍ରେନ ପରି ତାଇଓ୍ଵାନ ଉପରେ ଚୀନର ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି।

ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି, କ୍ଵାଡ୍ ଏହାକୁ ନେଇ ସହମତ ଯେ, ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଯଥାସ୍ଥିତିରେ ପରିବର୍ତ୍ତନ ପାଇଁ କାହାରିକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପଦକ୍ଷେପ ଅବାଧ ଏବଂ ସ୍ଵାଧୀନ ଭାରତ-ପ୍ରଶାନ୍ତ କ୍ଷେତ୍ର ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷପେ। ଭାରତ-ପ୍ରଶାନ୍ତ ମହାସାଗର ପାଇଁ ହ୍ଵାଇଟ୍ ହାଉର ସମନ୍ଵୟକ କର୍ଟ କ୍ୟାମ୍ପବେଲ୍ ସୋମବାର କହିଥିଲେ, ୟୁକ୍ରେନ ସଙ୍କଟ ପରେ ବି ଆମେରିକା ଭାରତ-ପ୍ରଶାନ୍ତ କ୍ଷେତ୍ର ଉପରେ ନିଜର ନଜର ରଖିବ।

କ୍ଵାଡର ଏହି ଭର୍ଚୁଆଲ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଯୋଗ ଦେଇଥିଲେ। ବୈଠକରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିଷୟରେ ଆଲୋଚନା ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଏବଂ କୂଟନୈତିକ ମାର୍ଗ ଜରିଆରେ ସମସ୍ୟାର ସମାଧାନ ଉପରେ ଜୋର ଦେଇଛନ୍ତି। ହିଂସା ଛାଡି ଆଲୋଚନା ଏବଂ କୂଟନୈତିକ ଜରିଆରେ ସଙ୍କଟ ସମାପ୍ତ କରାଯିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଠକରେ ଏହା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି ଯେ, ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା ଭୋଗିବାକୁ ଦିଆଯିବ ନାହିଁ। ତାଇଓ୍ଵାନ ଉପରେ ଚୀନ ଆକ୍ରମଣକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି କ୍ଵାଡ ଦେଶ ଜୋର ଦେଇ କହିଛନ୍ତି।

Get real time updates directly on you device, subscribe now.