ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ଖୁବ ଖରାପ ରହିଛି । କିନ୍ତୁ ଏହି ମ୍ୟାଚରେ ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱୀନ । ଏହି ମ୍ୟାଚରେ ପ୍ରଥମ ଇନିଂସର ପ୍ରଥମ ୱିକେଟ ହାସଲ କରି ଅଶ୍ୱୀନ ଏକ ବିରଳ ରେକର୍ଡର ଅଧିକାରୀ ପାଲଟିଛନ୍ତି । ସେ ଏମିତି ଏକ ଇତିହାସ ରଚିଛନ୍ତି, ଯାହା ପୂର୍ବରୁ କେହି ହାସଲ କରି ପାରିନହାନ୍ତି କିମ୍ବା ଆଗକୁ ହେବା ନେଇ ମଧ୍ୟ ସମ୍ଭାବନା ଖୁବ କମ୍ ରହିଛି ।
ତେବେ ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱୀନ ଦଳ ତରଫରୁ ପ୍ରଥମ ୱିକେଟ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ଦଳର ଷ୍ଟାର ଓପନର ଟାଗନାରାୟଣ ଚନ୍ଦ୍ରପାଲଙ୍କୁ ଶିକାର କରିଛନ୍ତି ଭାରତର ତଥା ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଅଶ୍ୱୀନ । ଇନିଂସର ୧୩ତମ ଓଭରର ପଞ୍ଚମ ବଲରେ ୨୭ ବର୍ଷୀୟ ଚନ୍ଦ୍ରପାଲଙ୍କୁ ଆଉଟ କରି ପାଭିଲିୟନ ପଠାଇ ସେ ଏହି ଇତିହାସ ରଚିଛନ୍ତି । ୪୪ ବଲରୁ ୧୨ ରନ କରି ଖେଳୁତିବା ବେଳେ ଚନ୍ଦ୍ରପାଲ ଅଶ୍ୱୀନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି । ଏହି ୱିକେଟ ସହ ତାଙ୍କ ନାମରେ ଯୋଡି ହୋଇଛି ବିଶ୍ୱର ବିରଳ ରେକର୍ଡ । କୌଣସି ଦଳ ବିପକ୍ଷରେ ବାପା ଏବଂ ପୁଅଙ୍କୁ ଆଉଟ କରିବାର ରେକର୍ଡ ଏବେ ଅଶ୍ୱୀନଙ୍କ ନାମରେ ଲେଖା ହୋଇଛି । ଅଶ୍ୱୀନ ପ୍ରଥମ ବୋଲର ଭାବରେ ବାପା ଏବଂ ପୁଅଙ୍କ ୱିକେଟ ନେବାରେ ସଫଳ ହୋଇଛନ୍ତି । ଗତ ୨୦୧୧ ମସିହାରେ ଦିଲ୍ଲୀରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ଅଶ୍ୱୀନ ଟାଗନାରାୟଣ ଚନ୍ଦ୍ରପାଲଙ୍କ ବାପା ଶିବନାରାୟଣ ଚନ୍ଦ୍ରପାଲଙ୍କ ୱିକେଟ ହାସଲ କରିଥିଲେ । ସେହି ମ୍ୟାଚରେ ଅଶ୍ୱୀନ ଶିବନାରାୟଣଙ୍କୁ ଏଲବିଡବ୍ଲୁ କରି ପାଭିଲିୟନ ପଠାଇଥିଲେ ।
ତେବେ ୨୦୧୫ରେ ଶିବନାରାୟଣ ଅବସର ନେଇଥିବା ବେଳେ ୨୦୨୨ରେ ଡେବ୍ୟୁ କରିଛନ୍ତି ତାଙ୍କ ପୁଅ ଟାଗନାରାୟଣ ଚନ୍ଦ୍ରପାଲ । ତେବେ ଆଜି ନିଜର ସପ୍ତମ ମ୍ୟାଚରେ ଭାରତ ବିପକ୍ଷ ସିରିଜରେ ସେ ଅଶ୍ୱୀନଙ୍କ ଶିକାର ପାଲଟିଛନ୍ତି । ଏହାବ୍ୟତୀତ ଅଶ୍ୱୀନ ଟେଷ୍ଟରେ ସର୍ବାଧିକ ବୋଲ୍ଡ କରି ୱିକେଟ ନେବାରେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । ନିଜ କ୍ୟାରିୟରରେ ସେ ମୋଟ ୯୫ ଥର ଏହି ଉପଲବ୍ଧି ହାସଲ କରିଥିବା ବେଳେ ଦ୍ୱିତୀୟରେ ଅନୀଲ କୁମ୍ବଲେ ଏହି ୯୪ ଥର ବୋଲ୍ଡ କରି ୱିକେଟ ହାସଲ କରିଛନ୍ତି ।