fbpx
BSKY SKY
BSKY SKY

ଆସୁଛି ବନ୍ୟା! ବୋଲ ମାନୁନି ‘ଯମୁନା’ ନଦୀର ଜଳସ୍ତର: ୪୫ ବର୍ଷର ରେକର୍ଡ ପଛରେ ପଡିଲାଣି

BSKY

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଯମୁନା ନଦୀରେ ଏବେ ହୁ ହୁ ହୋଇ ଜଳସ୍ତର ବଢିବାରେ ଲାଗିଛି । ଦିନକୁ ଦିନ ଏହି ନଈର ପାଣି ରାଜ୍ୟବାସୀଙ୍କ ବନ୍ୟା ଭୟକୁ ମଧ୍ୟ ବଢାଇ ଦେଉଛି । ଏବେ ୪୫ ବର୍ଷର ରେକର୍ଡ ଭାଙ୍ଗି ବନ୍ୟା ଦିଗରେ ବଢିଚାଲିଛି ଯମୁନା ନଦୀର ପାଣି । ଲଗାତାର ବୃଦ୍ଧି ପାଉଥିବା ଜଳସ୍ତର ପାଇଁ ସାରା ରାଜ୍ୟରେ ବର୍ତ୍ତମାନ ବନ୍ୟା ଆଶଙ୍କା ଘାରିଛି । ରାଜ୍ୟକୁ ଆସୁଥିବା ବଡ ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜରୁରୀକାଳୀନ ବୈଠକ ଡକାଇଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀର ଯମୁନା ନଦୀରେ ବର୍ତ୍ତମାନ ଜଳସ୍ତର ୨୦୭.୫୫ମିଟର ରହିଛି । ୧୯୭୮ ମସିହା ପରେ ଏହା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯମୁନା ନଦୀର ପାଣି । ତେବେ ୪୫ ବର୍ଷ ତଳେ ୧୯୭୮ରେ ନଦୀର ପାଣି ୨୦୭.୪୯ ମିଟର ରହିଥିଲା, ଯାହା ଏବେ ପର୍ଯ୍ୟନ୍ତ ସର୍ବାଧିକ ରେକର୍ଡ ହୋଇଛି । କିନ୍ତୁ ଚଳିତବର୍ଷ ଏହି ରେକର୍ଡକୁ ଭାଙ୍ଗି ସର୍ବାଦିକ ଉଚ୍ଚତାରେ ବହୁଛି ଯମୁନା ନଦୀ ପାଣି । ତେଣୁ ଦିଲ୍ଲୀରେ ବର୍ତ୍ତମାନ ବନ୍ୟ ଭୟକୁ ଏଡାଇ ଦିଆ ଯାଇ ନ ପାରେ । ତେଣୁ ଏହି ଆଶଙ୍କା ଭିତରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଗୁରୁତ୍ୱପୂର୍ଣ୍ଣ ବେଠକ ଡକାଇଛନ୍ତି । ତେବେ ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ବୈଠକ ଦିଲ୍ଲୀ ସଚିବାଳୟରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ତେବେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଉପର ଜଳଗ୍ରହଣ ଅଞ୍ଚଳରେ ଜଳସ୍ତର ଅଚାନକ ବୃଦ୍ଧି ପାଇଛି । ତେବେ ସତର୍କତା ଦୃଷ୍ଟିରୁ ଲୋକମାନଙ୍କୁ ଥଇଥାନ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୪୫ଟି ଡଙ୍ଗା ନିୟୋଜିତ କରାଯାଇଛି । ଏହାସହିତ ଏନଜିଓମାନଙ୍କ ସହାୟତାରେ ସ୍ଥାନାନ୍ତରିତ ଲୋକମାନଙ୍କୁ ରିଲିଫ ଯୋଗାଇ ଦିଆଯାଉଛି । ସେହିପରି ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଯମୁନାର ଜଳ ସ୍ତର ଉପରେ ନଜର ରଖିବା ପାଇଁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହିତ ୧୬ ଟି କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।

Get real time updates directly on you device, subscribe now.