ରାହାଣେ ନା ଭେଙ୍କଟେଶ…. IPL-2024ରେ କାହାକୁ ମିଳିବ ଅଧିନାୟକ ପଦ? ଜାଣନ୍ତୁ KKR ପ୍ଲାନ

ନୂଆଦିଲ୍ଲୀ: IPL-2024 ପାଇଁ ମେଗା ଅକ୍ସନ ସରିବା ପରେ ଚର୍ଚ୍ଚାରେ ରହିଛି ପୂର୍ବତନ ଚମ୍ପିଆନ୍ । କୋଲକାତା ନାଇଟ ରାଇଡର୍ସ ଅକ୍ସନ ପୂର୍ବରୁ ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିଥିବା ବେଳେ ଆଗାମୀ ସିଜନରେ କିଏ ଅଧିନାୟକ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରିଙ୍କୁ ସିଂହଙ୍କୁ ସର୍ବାଧିକ ମୂଲ୍ୟରେ ରିଟେନ୍ କରିଥିଲା ଦଳ । କିନ୍ତୁ ମେଗା ଅକ୍ସନରେ ଭେଙ୍କଟେଶ ଆୟରଙ୍କ ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଛି କୋଲକାତା । ତେଣୁ ଉଭୟଙ୍କ ମଧ୍ୟ କେହି ଜଣେ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏ ଦୁହିଁଙ୍କ ଉପରେ ଭାରୀ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଅଜିଙ୍କ୍ୟା ରାହାଣେ । ବିଶେଷ କରି ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଏହି ରେସରେ ଖୁବ ଆଗରେ ପହଞ୍ଚାଇଛି ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅଜିଙ୍କ୍ୟା ରାହାଣେଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟର ୯ଟି ମ୍ୟାଚରୁ ରାହାଣେ ୧୬୯.୪୧ ଷ୍ଟ୍ରାଇକ ରେଟରେ ୪୩୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ମ୍ୟାଚରେ ସେ ବ୍ୟାଟିଂ କରି ନଥିବା ବେଳେ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ରାହାଣେ । ଏହି ସିରିଜରେ ସେ କ୍ରମାଗତ ଭାବରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ୯୮, ୮୪, ୯୫, ୨୨, DNB, ୬୮, ୫୨, ୧୩ ଏବଂ ୯୮ ରନର ଇନିଂସ ଖେଳିଛନ୍ତି । ତେଣୁ ତାଙ୍କର ଏହି ପ୍ରଦର୍ଶନ ତାଙ୍କୁ କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ଦାୟିତ୍ୱ ଦେଇପାରେ । କୋଲକାତା ନାଇଟ ରାଇଡର୍ସ ଏହି ଖେଳାଳିଙ୍କୁ ଅଧିନାୟକ ପଦ ଦେବ ବୋଲି ୯୦ ପ୍ରତିଶତ କନଫର୍ମ ବୋଲି କୁହାଯାଉଛି ।

ଆଇପିଏଲ-୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ ଚମ୍ପିଆନ୍ ଅଧିନାୟକ ଶ୍ରେୟସଙ୍କୁ ରିଲିଜ କରିଥିବା ବେଳେ ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲଙ୍କ ସହିତ ହର୍ଷିତ ରାଣା ଏବଂ ରମନଦୀପ ସିଂହଙ୍କୁ ରିଟେନ୍ କରିଥିଲା । ତେଣୁ ଅକ୍ସନରେ ଦଳକୁ ଜଣେ ଅଧିନାୟକଙ୍କ ସନ୍ଧାନ ରହିଥିଲା । କିନ୍ତୁ ଦଳ କୌଣସି ବଡ଼ ଅଧିନାୟକଙ୍କୁ କିଣିବାରେ ବିଫଳ ହୋଇଥିବା ବେଳେ ଭେଙ୍କଟେଶ ଆୟରଙ୍କ ପାଇଁ ୨୩.୭୫କୋଟି ଟଙ୍କା ଖର୍ଚ୍ଚ କରିଥିଲା । ତେଣୁ କୋଲକାତା ପାଇଁ ଆଗାମୀ ସିଜନରେ ଭେଙ୍କଟେଶ, ସୁନୀଲ ନାରାୟଣ କିମ୍ବା ରିଙ୍କୁ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଖୁବ ଆଲୋଚନା ହେଉଛି । କିନ୍ତୁ ବର୍ତ୍ତମାନ ଦଳ ଅଜିଙ୍କ୍ୟା ରାହାଣେଙ୍କୁ ଏହି ଦାୟିତ୍ୱ ଦେବ ବୋଲି ନଜର ରଖିଛି ।

 

View this post on Instagram

 

A post shared by SportsTiger (@sportstiger_official)

ଆଗାମୀ ସିଜନ ପାଇଁ କୋଲକାତା ରାହାଣେଙ୍କୁ ୧.୫ କୋଟି(ବେସ୍ ପ୍ରାଇସ)ରେ ଦଳରେ ସାମିଲ କରିଛି । ଏହାପୂର୍ବରୁ ରାହାଣେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ । କିନ୍ତୁ ଦଳ ତାଙ୍କୁ ରିଟେନ୍ କରି ନଥିଲା କିମ୍ବା ଅକ୍ସନରେ ମଧ୍ୟ ଚେନ୍ନାଇ ତାଙ୍କୁ ଦଳରେ ସାମିଲ କରିନାହିଁ । ଏହାପରେ ରାହାଣେ କୋଲକାତାରେ ସାମିଲ ହୋଇଛନ୍ତି । ପୂର୍ବରୁ ରାହାଣେ ରାଜସ୍ଥାନ ରୋୟଲ୍ସର ନେତୃତ୍ୱ ନେଇଥିବା ବେଳେ ଅନେକ ସମୟରେ ଭାରତର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ତେଣୁ ଅଭିଜ୍ଞତା ଦୃଷ୍ଟିରୁ କୋଲକାତା ରାହାଣେଙ୍କୁ ଦଳର ଅଧିନାୟକ ଭାବରେ ଚୟନ କରିପାରେ । ତେବେ ରିଙ୍କୁ କିମ୍ବା ଭେଙ୍କଟେଶ ଦଳର ଉପ-ଅଧିନାୟକ ଭାବରେ ଦଳରେ ସାମିଲ ହୋଇପାରନ୍ତି । ତେବେ ଏ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ବେଳେ ଏଥିରେ ମୋହର ବାଜିବା ବାକି ରହିଛି ବୋଲି କୁହାଯାଉଛି ।