fbpx

ସ୍କୁଟର ପରେ ଏବେ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ଜୋରଦାର ବିଜୟ ପରେ ଏବେ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ ସହିତ ଏକ ଟ୍ରକରେ ଯାତ୍ରା କରୁଛନ୍ତି । ହରିୟାଣାର ଅମ୍ବାଲାରୁ ଏହି ଭିଡିଓଟି ଆସିଛି । ବାଙ୍ଗାଲୁରରେ ଡେଲିଭରି ଏକ୍ଜିକ୍ୟୁଟିଭଙ୍କ ସହ ଯାତ୍ରା କରିବା ପରେ ଏବେ ରାହୁଲ ଅମ୍ବାଲାରେ ଟ୍ରକ ଡ୍ରାଇଭରଙ୍କ ସହ ଯାତ୍ରା କରିଛନ୍ତି ।

କଂଗ୍ରେସ ନେତା ଇମରାନ୍ ପ୍ରତାପଗଡୀ ମଧ୍ୟ ଏହି ଭିଡିଓଟିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେ କହିଛନ୍ତି ଟ୍ରକ ଡ୍ରାଇଭରଙ୍କ ସମସ୍ୟା ଜାଣିବା ଲାଗି ସେମାନଙ୍କ ସହ ମିଶିବା ଓ ସେମାନଙ୍କ ସହ ସମୟ ବିତାଇବା ପରି କାମ କେବଳ ରାହୁଲ ଗାନ୍ଧୀ ହିଁ କରିପାରନ୍ତି । ରାହୁଲ ଦିଲ୍ଲୀରୁ ଟ୍ରକରେ ବସି ଏଠାରୁ ସିମଲା ଯାତ୍ରା କରିଥିଲେ । ରାସ୍ତାରେ ସେ ପୁଣି ଦିଗ ବଦଳାଇଥିଲେ ଏବଂ ଅମ୍ବାଲାରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କଂଗ୍ରେସର ପ୍ରାୟ ଅଧିକାଂଶ ନେତା ଏହି ଭିଡିଓ ସେୟାର କରି ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି ।

ଏହି ଭିଡିଓଟି ସୋମବାର ରାତିର । କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ରାହୁଲଙ୍କ ଏହି ଭିଡିଓ ସେୟାର କରି କହିଛନ୍ତି ରାହୁଲ ଗାନ୍ଧୀ ଏ ଦେଶର ଜନତାଙ୍କ କଥା ଶୁଣିବାକୁ ଚାହୁଁଛନ୍ତି । ସେମାନଙ୍କ ସମସ୍ୟା ଓ ସେମାନେ ସମ୍ମୁଖୀନ ହେବାକୁ ଆହ୍ୱାନକୁ ବୁଝିବାକୁ ଚାହୁଁଛନ୍ତି । ତାଙ୍କର ଏପରି କାର୍ଯ୍ୟ ଦେଖି ମନରେ ଏକ ବିଶ୍ୱାସ ସୃଷ୍ଟି ହେଉଛି ଯେ କେହି ତ ଅଛି ଜନତାଙ୍କ ଦୁଃଖ ଶୁଣିବାକୁ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚିନ୍ତା କରିବାକୁ । ରାହୁଲ ଗାନ୍ଧୀ ଲଗାତର ଦେଶର ଗରିବ ଜନତାଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ବାଙ୍ଗାଲୁରର ଜଣେ ଡେଲିଭରି ବୟ ସହିତ ସ୍କୁଟରରେ ଯାତ୍ରା କରିଥିଲେ । ରାହୁଲଙ୍କ ଏହି ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।

Get real time updates directly on you device, subscribe now.