fbpx

ଧୂଆଁ ମାଡ଼ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦରେ କ’ଣ କରୁଥିଲେ? ସାମ୍ନାକୁ ଆସିଲା ଚିତ୍ର

ନୂଆଦିଲ୍ଲୀ: ଆଜି ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ହଠାତ୍ ୨ ଜଣ ଅଜଣା ବ୍ୟକ୍ତି ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ। ଏହା ସହ ଉକ୍ତ ୨ ଜଣ ଯୁବକ ଏକ କଲର ଗ୍ୟାସ୍ ମଧ୍ୟ ସ୍ପ୍ରେ କରିଥିଲେ । ଯାହାକୁ ନେଇ ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତୁ କିଛି ସମୟ ଭିତରେ ଗୃହରେ ଥିବା ଲୋକସଭାର ସଦସ୍ୟ ମାନେ ସେମାନଙ୍କୁ କାବୁ କରିନେଇଥିଲେ। ବିଶେଷକରି ସେମାନଙ୍କୁ ସୁରକ୍ଷା କର୍ମୀ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦ ଆର୍ କେ ସିଂହ ପଟେଲ ସେଠାକୁ ଧାଇଁଯାଇ ଜଣଙ୍କୁ କାବୁ କରି ନେଇଥିଲେ । ଏହି ଘଟଣା ପରେ ବିଜେପି ସାଂସଦ ପଟେଲଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି ଓ ତାଙ୍କୁ ହିରୋ ଅଫ୍ ଦି ହାଉସ୍ କୁହାଯାଉଛି । ଅନ୍ୟପଟେ ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଣ କରୁଥିଲେ ତାହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋ ଚିତ୍ରକୁ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନଟେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ତେବେ ଏଥିରେ ଦେଖିବାକୁ ମିଳୁଛି ଯେ, ଅନୁପ୍ରବେଶକାରୀଙ୍କ ହଙ୍ଗାମା ଓ ଧୂଆଁ ମାଡ଼ ବେଳେ ରାହୁଲ ଗାନ୍ଧି ବେଶ ସ୍ୱାଭାବିକ ଢଙ୍ଗରେ ଲୋକସଭା ଗୃହ ମଧ୍ୟରେ ଛିଡ଼ା ହୋଇଛନ୍ତି। ଗୃହ ଧୂଆଁ ମୟ ହୋଇଯାଇଥିଲେ ହେଁ ରାହୁଲ ଗାନ୍ଧୀ ଆଦୌ ବିଚଳିତ ନ ହୋଇ ଦୁଇ ଯୁବକଙ୍କ ହଙ୍ଗାମା ଦେଖୁଛନ୍ତି। ସେ ଆଦୌ ଭୟଭୀତ ହୋଇନଥିଲେ କିମ୍ବା ପଛକୁ ଯାଇ ନଥିଲେ। ସୁପ୍ରିୟା ଉକ୍ତ ଫଟୋକୁ ପୋଷ୍ଟ କରି କହିଛନ୍ତି, “ଡରନ୍ତୁ ନାହିଁ। କେବଳ ଶବ୍ଦରେ ନୁହେଁ, କାମରେ କରି ଦେଖାଇଛନ୍ତି। ସଂସଦରେ ହଙ୍ଗାମା ଚାଲିଥିବା ବେଳେ ଜନନାୟକ (ରାହୁଲ ଗାନ୍ଧି) ଛାତି ଦେଖାଇ ଛିଡ଼ା ହୋଇଥିଲେ।”

ସୂଚନା ଥାଉକି, ଏହି ଘଟଣାରେ ୬ ଜଣକ ସମ୍ପୃକ୍ତି ଥିବା ଜଣାପଡିବା ପରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଅନ୍ୟ ମାନଙ୍କ ସନ୍ଧାନରେ ରହିଛି ପୋଲିସ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳି ସାରିଥିବା ବେଳେ ଜଣଙ୍କ ପରିଚୟ ମିଳିନାହିଁ । ମହାରାଷ୍ଟ୍ର ଲାତୁରର ଅମୋଲ ଶିନ୍ଦେ, ହରିୟାଣାର ନୀଲମ୍‌, ୟୁପିର ଲକ୍ଷ୍ନୌର ସାଗର ଶର୍ମା ପ୍ରମୁଖ ଗିରଫ ହୋଇଥିବା ଜଣାପଡିଛି । ପୋଲିସ ଏବେ ସମସ୍ତଙ୍କୁ ପଚରାଉଚରା କରୁଛି। ଗୃହରେ ୨ ଯୁବକ କେବଳ କଲର ସ୍ମୋକ୍ ସ୍ପ୍ରେ କରିଥିଲେ । ଯାହା ଅକ୍ସିଡାଇଜର (ପୋଟାସିୟମ ନାଇଟ୍ରେଟ୍‌, KNO3), ଏକ ଇନ୍ଧନ(ଚିନି), ଏକ ମଡରେଟର(ଯେପରିକି ସୋଡିୟମ ବାଇକାର୍ବୋନେଟ୍‌) ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜୀବନ ପ୍ରତି କୌଣସି ବିପଦ ନ ଥାଏ । ତେବେ ସଂସଦରେ ସୁରକ୍ଷାବଳୟ ଭଙ୍ଗ ହୋଇଥିବା ବେଳେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.