fbpx

Rahul Dravid: ରାହୁଲଙ୍କୁ ମିଳିପାରେ ଇଂଲଣ୍ଡର ହେଡ କୋଚ ଦାୟିତ୍ୱ, ଇଂଲଣ୍ଡ କ୍ରିକେଟରେ ଉଠିଲା ଦାବି

ଓଡିଶା ଭାସ୍କର: ବିଶ୍ୱକପ ବିଜୟ ପରେ ରାହୁଲ ଦ୍ରାବିଡଙ୍କ କୋଚିଙ୍ଗ ପାଇଁ ଦିନକୁ ଦିନ ଦାବି ଜୋର ହେବାରେ ଲାଗିଛି । ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେବାର ଦାବି ନ ଥମୁଣୁ, ଏବେ ଦ୍ରାବିଡ ଇଂଲଣ୍ଡର ହେଡ କୋଚ ହେବେ ବୋଲି ଚର୍ଚ୍ଚା ହେଉଛି । ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡ ନିଜର ଏକଦିବସୀୟ ଓ ଟ୍ୱେଣ୍ଟି- ଟ୍ୱେଣ୍ଟି ଫର୍ମାଟରେ ନୂଆ କୋଚର ସନ୍ଧାନରେ ରହିଛି । ଏହି ତାଲିକାରେ ‘ଦି ୱାଲ’ ରାହୁଲଙ୍କ ନାମ ସର୍ବାଗ୍ରେ ରହିଛି ।

ବ୍ରେଣ୍ଡନ ମ୍ୟାକଲମ ଟେଷ୍ଟ କ୍ରିକେଟରେ ଇଂଲଣ୍ଡକୁ ବହୁ ଉଚ୍ଚକୁ ନେଇଛନ୍ତି । କିନ୍ତୁ, ଦିନିକିଆ ଓ ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦିନିକିଆ ବିଶ୍ୱକପ ୨୦୨୩ ରେ ଇଂଲଣ୍ଡର ଅଭିଯାନ ଶୀଘ୍ର ଶେଷ ହେବାପରେ ତଥା ଟ୍ୱେଣ୍ଟି- ଟ୍ୱେଣ୍ଟି ବିଶ୍ୱକପରେ ଭାରତଠୁ ପରାସ୍ତ ହେବା ପରେ ଇଂଲଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ମୈଥ୍ୟୁ ମାଁଟ ନିଜର ଇସ୍ତଫା ସ୍ୱୀକାର କରିଛନ୍ତି ।

କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଆକାଶଛୁଆଁ ଅଟେ । ତାଙ୍କ ନେତୃତ୍ୱରେ ହିଁ ଭାରତ ଦିନିକିଆ ବିଶ୍ୱକପର ଫାଇନାଲ ଖେଳିଥିଲା ଓ ଅଷ୍ଟ୍ରେଲିଆକୁ ମଧ୍ୟ ତାହାର ଘରୋଇ ଗ୍ରାଉଣ୍ଡରେ ମାତ ଦେଇଥିଲା । ଦ୍ରାବିଡଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଅମୀମାଂସିତ ରହିଥିଲା । ଏହାବାଦ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୨ ରେ ଭାରତ ସେମିଫାଇନାଲ ଯାଏଁ ଯାଇଥିଲା । ଏତତବ୍ୟତୀତ ନିକଟରେ ଭାରତ ଦୀର୍ଘ ୧୭ ବର୍ଷ ପରେ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ, ୧୧ ବର୍ଷ ପରେ ଆଇସିସି ଟ୍ରଫି ତଥା ୧୩ ବର୍ଷ ପରେ ବିଶ୍ୱକପ ଟ୍ରଫି ହାତେଇଥିଲା । ଏଭଳି ସ୍ଥିତିରେ କୋଚ ହେବା ଦୌଡରେ ସେ ଆଗରେ । ରାହୁଲଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି ଭାରତୀୟ କ୍ରିକେଟ ଦଳ ପାଇଁ । ସେପଟେ ରାହୁଲଙ୍କ ସହ ଇଂଲଣ୍ଡ କୋଚ ପଦ ପାଇଁ ରିକି ପଣ୍ଟିଂ ଓ ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.