fbpx

CSK ଦଳରେ ସାମିଲ ହେଲେ ‘ରାଇନା’: ୪୨ ଗୁଣ ଅଧିକ ଟଙ୍କା ଦେଇ କିଣିଲା ସୁପର କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହୋଇଛନ୍ତି ‘ରାଇନା’ । ଏହି ଖେଳାଳିଙ୍କୁ ସାମିଲ କରିବା ପାଇଁ ଚେନ୍ନାଇ ୮.୪୦ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଚଳିତବର୍ଷ ଚେନ୍ନାଇରେ ସାମିଲ ହୋଇଥିବା ଏହି ଖେଳାଳି ଭାରତର ପୂର୍ବତନ ଖେଳାଳି ସୁରେଶ ରାଇନା ନୁହେଁ । ଏହି ଖେଳାଳି ହେଉଛନ୍ତି ଉତ୍ତରପ୍ରଦେଶ ପାଇଁ ମାତ୍ର ୨ଟି ଫାଷ୍ଟକ୍ଲାସ ମ୍ୟାଚ ଖେଳିଥିବା ସମୀର ରିଜଭି । ସମୀରଙ୍କ ବ୍ୟାଟିଂ ଷ୍ଟାଇଲ ସୁରେଶ ରାଇନାଙ୍କ ସହ ମେଳ ଖାଉଥିବାରୁ ତାଙ୍କୁ ‘ଡାହାଣ ହାତୀ ରାଇନା’ ବୋଲି ମଧ୍ୟ କୁହାଯାଏ ।

ଆଇପିଏଲ ଅକ୍ସନରେ ମାତ୍ର ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ ଥିବା ବେଳେ ଏହାର ୪୨ ଗୁଣ ଅଧିକ ଟଙ୍କା ଦେଇ ଚେନ୍ନାଇ ସମୀର ରିଜଭିଙ୍କୁ ନିଜ ଦଳରେ ସାମିଲ କରିଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ସିଧା ଚମ୍ପିଆନ୍ ଦଳରେ ସାମିଲ ହୋଇଛନ୍ତି ସମୀର । ବର୍ତ୍ତମାନ ପର୍ଯ୍ୟନ୍ତ ସମୀର ଉତ୍ତରପ୍ରଦେଶ ପାଇଁ ମାତ୍ର ୨ଟି ଫାଷ୍ଟକ୍ଲାସ ମ୍ୟାଚ ଖେଳିଛନ୍ତି । ଏହାବ୍ୟତୀତ ସେ ୧୧ଟି ଲିଷ୍ଟ-ଏ ଏବଂ ୧୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଭାରତର ଏହି ଅନ୍ କ୍ୟାପ୍ଡ ଖେଳାଳି ପୂର୍ବରୁ ଆଇପିଏଲ୍, ରଣଜି କିମ୍ବା ଅଣ୍ଡର ୧୯ ବିଶ୍ୱକପରେ ମଧ୍ୟ ଭାଗ ନେଇନାହାନ୍ତି । ଏହାପରେ ମଧ୍ୟ ପ୍ରଥମ ଥର ଆଇପିଏଲ ଅକ୍ସନରେ ଭାଗ ନେଇ ରେକର୍ଡ ସୃଷ୍ଟି କରିଛନ୍ତି ସମୀର ରିଜଭି । ତେବେ ତାଙ୍କର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ତାଙ୍କୁ ଡାହାଣ ହାତୀ ରାଇନା ବୋଲି ମଧ୍ୟ କୁହାଯାଉଛି ।

ସମୀର ରିଜଭି ଉତ୍ତର ପ୍ରଦେଶ ପ୍ରିମିୟର ଲିଗରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିବାରେ ସେ ରେକର୍ଡ କରିଥିଲେ । ଉତ୍ତର ପ୍ରଦେଶ ପ୍ରିମିୟର ଲିଗରେ ୯ଟି ମ୍ୟାଚରୁ ଦୁଇଟି ଶତକ ସହିତ ୪୫୫ ରନ ସଂଗ୍ରହ କରିଛନ୍ତି । ତେବେ ଟି-୨୦ ମ୍ୟାଚରେ ବଡ଼ ଶଟ୍ ଖେଳିବାରେ ସେ ମାହିର । ତେଣୁ ଚେନ୍ନାଇ ଯଥେଷ୍ଟ ଅଧିକ ଟଙ୍କା ଦେଇ ତାଙ୍କୁ ଦଳରେ ସାମିଲ କରିଛି । ରାଇନାଙ୍କ ଅନୁପସ୍ଥିତିରେ ସମୀର ତାଙ୍କ ଅଭାବକୁ ପୂରଣ କରିପାରିବେ ବୋଲି ଆଶା ରଖିଛି ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.