fbpx

ଗୋଟିଏ ଦିନର କଥା ନୁହେଁ, ସମସ୍ତ ଲାଉଡସ୍ପିକର ନହଟିବା ଯାଏ ଆନ୍ଦୋଳନ ଜାରି ରହିବ: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଲାଉଡସ୍ପିକର ହଟିବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ଜାରି ରହିବ। ବୁଧବାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ପୁଣି ଥରେ ଘୋଷଣା କରିଛନ୍ତି ଯେ, ଯେଉଁଠି ମସଜିଦରୁ ଲାଉଡସ୍ପିକର ହଟିନାହିଁ ସେଠାରେ ହନୁମାନ ଚାଳିସା କରାଯିବ। ସେ କହିଛନ୍ତି ଏହା ସାମାଜିକ ବିଷୟ ଅଟେ କୌଣସି ଧାର୍ମିକ ବିଷୟ ନୁହେଁ। ଯଦି ସେମାନେ ଧାର୍ମିକ ରଙ୍ଗ ଦେବେ ତେବେ ଆମେ ହିସାବରେ ଜବାବ ଦେବୁ।

ରାଜ ଠାକରେ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ଶାନ୍ତି ସହ କଥା ହେବାକୁ ଚାହୁଁଛୁ। ମାତ୍ର ସରକାର ଏହାକୁ ବୁଝିବାକୁ ନାରାଜ। ସରକାର ଆମ ଲୋକଙ୍କୁ ଗିରଫ କରୁଛନ୍ତି। ସରକାରଙ୍କୁ ଆମ ଲୋକଙ୍କୁ ଗିରଫ କଲେ କଣ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଅଜାନ କରିବାକୁ ମନା କରୁ ନାହିଁ, ମସଜିଦରେ ପ୍ରାର୍ଥନା କରିବାକୁ ମନା କରୁନାହିଁ। ମୋର ବିରୋଧ କେବଳ ଏତିକି ଯେ, ଅଜାନ ସମୟରେ ଲାଉଡ ସ୍ପିକରର ବ୍ୟବହାର କରନ୍ତୁ ନାହିଁ।

ରାଜ ଠାକରେ କହିଛନ୍ତି, ଲାଉଡ ସ୍ପିକରକୁ ନେଇ ମୋ ବିରୋଧ ଜାରି ରହିବ। ଆମେ ମେ ୪ ସୁଦ୍ଧା ଲାଉଡସ୍ପିକର ହଟାଇବାକୁ ଅନୁରୋଧ କରିଥିଲୁ। ଯଦି ଲାଉଡସ୍ପିକରରେ ଅଜାନ ହେବ ତେବେ ଆମେ ମଧ୍ୟ ଲାଉଡସ୍ପିକରରେ ହନୁମାନ ଚାଳିସା ପାଠ କରିବୁ। ମୁମ୍ବାଇରେ ୧୪୦୦ ମସଜିଦ ରହିଛି। ୧୩୫ ମସଜିଦ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରି ଲାଉଡସ୍ପିକରରେ ଅଜାନ କରିଛନ୍ତି। ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ, ଏହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

ସେ କହିଛନ୍ତି, ମୁମ୍ବାଇରେ ୯୦ ପ୍ରତିଶତ ମସଜିଦରେ ଲାଉଡସ୍ପିକ ବ୍ୟବହାର ହୋଇନାହିଁ। ମୁଁ ଖୁସି ଯେ ମସଜିଦ ଆମର କଥା ମାନିଛନ୍ତି। ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। କିନ୍ତୁ ଯେଉଁ ଲୋକେ ଏହା ମାନୁ ନାହାନ୍ତି ସେମାନଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ। ଯେ ପର୍ଯ୍ୟନ୍ତ ସମସ୍ତ ମସଜିଦରୁ ଲାଉଡ ସ୍ପିକର ବନ୍ଦ ହୋଇ ନାହିଁ, ଆମର ଆନ୍ଦୋଳନ ଜାରି ରହିବ ବୋଲି ରାଜ ଠାକରେ କହିଛନ୍ତି।

 

Get real time updates directly on you device, subscribe now.