fbpx

ରାଜେଶ ଧୂପରଙ୍କ ଲଢୁଆ ଅର୍ଦ୍ଧଶତକ: ପ୍ରଥମ ଇନିଂସରେ ଆଗୁଆ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରଣଜୀ ଟ୍ରଫିର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଓଡ଼ିଶା । ଦଳ ଗୋଆ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ୱିକେଟ କିପର ରାଜେଶଶ ଧୂପର ଲଢୁଆ ବ୍ୟାଟିଂ କରିବା ସହିତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଅପରାଜିତ ୭୧ ରନ କରିଥିବା ରାଜେଶଙ୍କ ଇନିଂସ ବଳରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ୮ ରନର ଅଗ୍ରଣୀ ହାସଲ କରିଥିଲା । ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଓଡ଼ିଶା ଗୋଆକୁ ମାତ୍ର ୧୮୧ ରନରେ ସୀମିତ ରଖିଥିଲା । ବସନ୍ତ ମହାନ୍ତି ସର୍ବାଧିକ ୨୭ ରନ ଦେଇ ୩ଟି ୱିକେଟ ନେଇଥିଲେ । ଅଭିଷେକ ରାଉତ ୨ଟି ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି, ଆଶିଷ ରାୟ ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଓଡିଶାର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା । ଦଳ ମାତ୍ର ୫୪ ରନରେ ୫ଟି ୱିକେଟ ହରାଇଥିଲା । ତେବେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ସାଥୀ କରି ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ । ୧୦୭ଟି ବଲ ଖେଳିଥିବା ରାଜେଶ ୮ ଚୌକା ଓ ୧ ଛକା ସହିତ ୭୧ ରନ ସଂଗ୍ରହ କରିଥିଲେ । ଗୋଆ ପକ୍ଷରୁ ଶୁଭମ ରଞ୍ଜାନେ ୫ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.