fbpx

କୁମ୍ଭ କଳ୍ପ ମେଳା ପାଇଁ ଚଳଚଞ୍ଚଳ ରାଜୀମ: ‘ରାମୋତ୍ସବ’ ବିଷୟବସ୍ତୁ ଉପରେ ହେବ ମେଳାର ଆୟୋଜନ

ରାୟପୁର: ଛତିଶଗଡ଼ର ତୀର୍ଥ ନଗରୀ ରାଜୀମରେ ହେବାକୁ ଥିବା କୁମ୍ଭ କଳ୍ପରେ ଦେଖିବାକୁ ମିଳିବ ଭାରତୀୟ ସନାତନ ପରମ୍ପରାର ଅଦ୍ଭୁତ ଦୃଶ୍ୟ । ଏହି ଅବସରରେ ଉତ୍ତରାଖଣ୍ଡରୁ ତାମିଲନାଡୁ ପର୍ଯ୍ୟନ୍ତ ଭାରତଭୂମୀର ସାଧୁ ପରମ୍ପରା ସହ ଜଡ଼ିତ ଅଦ୍ଭୁତ ସମାଗମ ମଧ୍ୟ ଦେଖିବାକୁ ମିଳିବ । ସଂସ୍କୃତି ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ନିର୍ଦ୍ଦେଶ ଅନୁସାରେ, ରାଜୀମ କୁମ୍ଭ କଳ୍ପର ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି । ଚଳିତବର୍ଷ ବିଷୟବସ୍ତୁ ‘ରାମୋତ୍ସବ’ ରହିଥିବା ବେଳେ ସଙ୍ଗମ ନଗରୀର ଦୃଶ୍ୟ ମଧ୍ୟ ଅଯୋଧ୍ୟା ଭଳି ହେବ ବୋଲି ଆଶା କରାଯାଉଛି । ଏଠାରେ ମୁଖ୍ୟ ମଞ୍ଚ ମଧ୍ୟ ଅଯୋଧ୍ୟାର ରାମ ମନ୍ଦିର ଭଳି ପ୍ରସ୍ତୁତ କରାଯିବ ବୋଲି ଜାଣିବାକୁ ମିଳିଛି ।

ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ଫେବୃଆରୀ ୨୪ ତାରିଖରୁ ରାଜୀମ କୁମ୍ଭ କଳ୍ପର ଶୁଭାରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଭବ୍ୟ ଆୟୋଜନରେ ହରିଦ୍ୱାର, କାଶୀ, ମଥୁରା, ଅଯୋଧ୍ୟା, ଚିତ୍ରକୂଟ ସମେତ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ପୀଠାଧିଶ୍ୱର, ମଠାଧୀଶ, ମହାତ୍ମା ଏବଂ ଶଙ୍କରାଚାର୍ଯ୍ୟ ପ୍ରମୁଖ ସାମିଲ ହେବେ । ଏହି ଉତ୍ସବରେ ସାମିଲ ହେବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି । ମେଳାରେ ଦୋକାନଗୁଡ଼ିକୁ ସୁବ୍ୟବସ୍ଥା କରି ରାସ୍ତାକୁ ଆହୁରି ଓସାର କରି ଦିଆଯାଇଛି ଯାହାଦ୍ୱାରା ଦୋକାନୀ ଏବଂ ଶ୍ରଦ୍ଧାଳୁ ଉଭୟଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ରାଜୀମ କୁମ୍ଭ କଳ୍ପ ସମୟରେ ୩ ପୁଣ୍ୟ ସ୍ନାନ କରାଯିବ । ଫେବୃଆରୀ ୨୪ ତାରିଖରେ ମାଘ ପୂର୍ଣ୍ଣିମା, ମାର୍ଚ୍ଚ ୪ ତାରିଖରେ ଜାନକୀ ଜୟନ୍ତୀ ଏବଂ ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରି ଭଳି ପୁଣ୍ୟ ତିଥିରେ ଏହି ପୁଣ୍ୟ ସ୍ନାନ କରାଯିବ । ଶ୍ରଦ୍ଦାଳୁଙ୍କୁ ବିଭିନ୍ନ ସେବା ଯୋଗାଇଦେବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିବା ବେଳେ ଉତ୍ସବରେ ସ୍ୱଚ୍ଛାତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାବ୍ୟତୀତ ପୋର୍ଟେବଲ ଟଏଲେଟ, ଚେଞ୍ଜିଂ ରୁମ୍ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ହୋଇଛି । କୁମ୍ଭ ମେଳାକୁ ଆସୁଥିବା ମା’ ମାନଙ୍କୁ ପିଲାଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଫିଡିଙ୍ଗ ରୁମ୍ ମଧ୍ୟ କରାଯାଇଛି । ଏହାସହିତ ପ୍ରାଥମିକ ଚିକିତ୍ସା ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ମେଡିକାଲ କ୍ୟାମ୍ପ ଲଗାଯିବ ।

Get real time updates directly on you device, subscribe now.