ରାମ ଗୋପାଳଙ୍କ ଘରେ ପୋଲିସ ରେଡ୍, ଗିରଫ ଡରରେ ଫେରାର୍ ଅଛନ୍ତି ଫିଲ୍ମ ନିର୍ମାତା!

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ବିବାଦୀୟ ଚଳଚ୍ଚିତ୍ର ନିର୍ମାତା ଭାବେ ଜଣାଯାଉଥିବା ରାମ ଗୋପାଳ ବର୍ମାଙ୍କ ଅଡୁଆ ବଢ଼ିଯାଇଛି । କେଉଁ ମୁହୂର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ । ସୋମବାର ହାଇଦ୍ରାବାଦସ୍ଥିତ ରାମ ଗୋପାଳଙ୍କ ଘରେ ପୋଲିସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ରିପୋର୍ଟ ମୁତାବକ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଘରେ ପହଞ୍ଚିଥିବାବେଳେ ସେ ଘରେ ନ ଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ କଥା କହିଥିବାରୁ ତାଙ୍କୁ ଏବେ ପୋଲିସ ଖୋଜୁଛି । ଏ ଘଟଣା ନେଇ ରାମ ଗୋପାଳଙ୍କୁ ୨ ଥର ପଚରା ଉଚରା ପାଇଁ ଡକାଯାଇଥିବାବେଳେ ସେ ହାଜର ହୋଇ ନାହାନ୍ତି । ତେବେ ଗିରଫ ଡରରେ ସେ କୋୟବଟୁର ଚାଲିଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ରାମ ଗୋପାଳ ବର୍ମା ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହିଥାନ୍ତି । ଫିଲ୍ମ ଷ୍ଟାର ହୁଅନ୍ତୁ ଅବା ରାଜନେତା ପ୍ରତ୍ୟେକ ବିବାଦ ଉପରେ ସେ ନିଜ ମନ୍ତବ୍ୟ ଦିଅନ୍ତି । ଆଉ ଶେଷରେ ସେଥିରେ ଛନ୍ଦି ହୋଇ ପଡ଼ନ୍ତି । ଫିଲ୍ମ ନିର୍ମାତା ଭାବେ ସେ ବହୁତ ଚର୍ଚ୍ଚିତ । ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ସତ୍ୟା, ରଙ୍ଗିଲା, ଦିଲ୍ ସେ.., ଜଙ୍ଗଲ ଭଳି ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବହୁ ମଡେଲ୍ ଓ ହିରୋଇନଙ୍କ ସହ ରାମ ଗୋପାଳଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ । ଚନ୍ଦ୍ରବାବୁ ନାଇଡୁଙ୍କ ଘଟଣାକୁ ନେଇ ରାମ ଗୋପାଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଆଗାମୀ ଦିନରେ ଏ ଘଟଣା କେଉଁ ମୋଡ ନେବ ତାହା ଦେଖିବା ବାକି ରହିଲା ।