fbpx

ପ୍ରଭୁ ରାମଙ୍କ ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର, ଜାଣନ୍ତୁ ତାଙ୍କ ତରିକା

ଓଡିଶା ଭାସ୍କର: ଐତିହାସିକ ତଥା ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନକୁ ନେଇ ସାରା ଦେଶବାସୀ ଉତ୍ସାହିତ। ସେହିପରି ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଅଯୋଧ୍ୟା ଯାଇ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ସମସ୍ତ ଶ୍ରଦ୍ଧାଳୁ ମନରେ ଅନେକ ଆଶା ବାନ୍ଧିଛନ୍ତି। ହେଲେ ହ୍ୟାକରମାନେ ଏହାର ଫାଇଦା ଉଠାଉଛନ୍ତି। ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଠକମାନେ ପ୍ରଭୁ ଶ୍ରୀ ରାମଙ୍କ ଭିଭିଆଇପି ଦର୍ଶନ କରାଇବାକୁ କହି ଶ୍ରଦ୍ଧାଳୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି। ହ୍ୟାକରମାନେ ରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରାଇବାକୁ ପରାମର୍ଶ ଦେଇ ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି । ଏହି ଠକେଇର ଘଟଣାକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାରା ଦେଶରେ ଏକ ପରାମର୍ଶଦାତା ଜାରି କରିଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।

ତେବେ ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ଉଦଘାଟନ ହେବ। ମାତ୍ର ଜାନୁଆରୀ ପ୍ରଥମ ସପ୍ତାହରୁ ହ୍ୟାକରମାନେ ରାମ ମନ୍ଦିର ନାମରେ ଠକେଇ ଆରମ୍ଭ କରିଛନ୍ତି। ହ୍ୟାକରମାନେ ରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆଣ୍ଡ୍ରଏଡ ପ୍ୟାକେଜ କିଟ (ଏପିକେ)କୁ ଦେଶର ବିଭିନ୍ନ ଲୋକ ବିଶେଷ କରି ହିନ୍ଦୁମାନଙ୍କ ନିକଟକୁ ପଠାଉଛନ୍ତି ଏବଂ ଲୋକଙ୍କୁ ରାମ ମନ୍ଦିରରେ ଭିଭିଆଇପି ପ୍ରବେଶ କିମ୍ବା ଭିଭିଆଇପି ଦର୍ଶନ କରାଇ ଦେବାକୁ କହୁଛନ୍ତି। ଅନ୍ୟପଟେ ଭକ୍ତମାନେ ଭଗବାନଙ୍କ ଦର୍ଶନ ଆଶାରେ ଏହି ଏପିକେ ଡାଉନଲୋଡ କରୁଛନ୍ତି। କିନ୍ତୁ ଏହି ଏପିକେ ଡାଉନଲୋଡ କରିବା ମାତ୍ରେ ସେମାନଙ୍କ ମୋବାଇଲ ଆକ୍ସେସ ହ୍ୟାକରଙ୍କ ପାଖକୁ ଚାଲିଯାଉଛି। ଏହା ପରେ କିଛି ମିନିଟ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି।

ଏଠାରେ କହି ରଖୁଛୁ ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠିତ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ଜାଲିଆତି ବିଷୟରେ ଅବଗତ କରାଉଛି। ଅନ୍ୟପଟେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର କ୍ରାଇମ ୟୁନିଟ (ଆଇଏଫଏସଓ) ର ଡେପୁଟି କମିଶନର ଡକ୍ଟର ହେମନ୍ତ ତିୱାରୀ କହିଛନ୍ତି ସୋସିଆଲ ମିଡିଆ ଉପରେ ଏବେ କଡ଼ା ନଜର ରଖାଯାଉଛି।

Get real time updates directly on you device, subscribe now.