fbpx

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉଭା ହେବେ ‘ରାମ-ସୀତା’: ସାରା ଦେଶରେ କଳସ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ କୋଟି କୋଟି ଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରାଣ ପତିଷ୍ଠା । ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀରେ ସ୍ଥାପନ ହେବ ପ୍ରଭୁ ଶ୍ରୀରାମ ଲଲାଙ୍କ ଅପୂର୍ବ ମୂର୍ତ୍ତି । ଏହାପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତରେ କଳସ ଶୋଭାଯାତ୍ରା କରାଯାଉଛି । ତେବେ ଏହି ମହା ସମାରୋହରେ ସ୍ୱୟଂ ରାମ-ସୀତା ମଧ୍ୟ ଉଭା ହେବେ । ଅଯୋଧ୍ୟାରେ ପଦାର୍ପଣ କରିବେ ସୀତା-ରାମଙ୍କ ଯୁଗଳ ମୂରତୀ । ଉତ୍ସବରେ ଯୋଗ ଦେବା ପାଇଁ ‘ରାମାୟଣ’ର ରାମ ଓ ସୀତାଙ୍କୁ ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ କରାଯାଇଛି ।

ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ଏହି ସମାରୋହରେ ଯୋଗ ଦେବା ପାଇଁ ଅନେକ ବଡ଼ ବଡ଼ କଳାକାର, ନେତା, ଖେଳାଳି ତଥା ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଏହି ତାଲିକାରେ ରହିଛନ୍ତି ରାମାନନ୍ଦ ସାଗରଙ୍କ ଲିଖିତ ‘ରାମାୟଣ’ ମେଗା-ଧାରାବାହିକରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାର ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆ ଟୋପିୱାଲା । ୧୯୮୭ ମସିହାରେ ନିର୍ମିତ ‘ରାମାୟଣ’ ଧାରାବାହିକରୁ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ତାଙ୍କୁ ଖୁବ ଖ୍ୟାତି ମିଳିପାରିଛି । ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ରରେ ଉଭୟଙ୍କର ନିଖୁଣ ଅଭିନୟ ୯୦ ଦଶକର ସମସ୍ତ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ରାମ ମନ୍ଦିରରେ ଉଭୟଙ୍କୁ ଅତିଥି ଭାବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ।

ଏହି ଦୁଇ କଳାକାରଙ୍କ ବ୍ୟତୀତ ଦେଶର ଅନେକ ଜଣାଶୁଣା ଅଭିନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି । ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ହୋଇଥିବା ବେଳେ ଭାରତର ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି । ସେହିପରି ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ରତନ ଟାଟାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ ପତ୍ର ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ସହ ୪ ଜଣ ଶଙ୍କରାଚାର୍ଯ୍ୟ, ବୈଜ୍ଞାନିକ, ଲେଖକ ଏବଂ ବିଚାରପତି ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାକୁ ଯାଉଛନ୍ତି ।

ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହା ସମାରୋହର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଏହାସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ବାଘୱତ ମୋଦୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚୀ ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ବିଶ୍ୱର ୫୦ ବିଦେଶୀ ପ୍ରତିନିଧିଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେବା ପାଇଁ ପ୍ରୟାସ କରାଯାଉଛି । ତେବେ କାର୍ଯ୍ୟକ୍ରମରେ ମୋଟ ୩୦୦୦ ଭିଭିଆଇପିଙ୍କ ସହିତ ୪୦୦୦ ଦର୍ଶକଙ୍କୁ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ମିଳିଛି ।

Get real time updates directly on you device, subscribe now.