fbpx

ବିଶ୍ୱ କପରେ ଭାରତକୁ ହରାଇଲେ ପାକିସ୍ତାନ ଖେଳାଳିଙ୍କ ପାଇଁ ବ୍ଲାଙ୍କ ଚେକ୍ ପ୍ରସ୍ତୁତ: ପିସିବି ଅଧ୍ୟକ୍ଷ ରମିଜ ରାଜା

ନୂଆଦିଲ୍ଲୀ : ଖେଳ ଯେଉଁ ଦଳ ମଧ୍ୟରେ ହେଉ ନା କାହିଁକି ଯେବେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହୁଅନ୍ତି ତେବେ ଲୋକଙ୍କ ଭାବନା ଚରମରେ ରହିଥାଏ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ମୁକାବିଲା ଖବର ସାମ୍ନାକୁ ଆସିଲେ ପ୍ରଶଂସକ ଉକ୍ତ ତାରିଖକୁ ଚାତକ ପରି ଚାହିଁ ରହିଥାନ୍ତି । ଏବେ କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଅକ୍ଟୋବର ୨୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ । ଏହାର ରୋମାଞ୍ଚ କୌଣସି ଫାଇନାଲ୍ ମୁକାବିଲାଠୁ କମ ନୁହେଁ ।

ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଯେବେ ମୁହାଁମୁହିଁ ହୁଅନ୍ତି ମ୍ୟାଚ୍ ଜିତିବା ପାଇଁ ଖେଳାଳି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ନବନିଯୁକ୍ତ ଅଧ୍ୟକ୍ଷ ରମିଜ ରାଜା ନିଜ ଖେଳାଳିଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଯଦି ତାଙ୍କ ଦଳ ବିଶ୍ୱ କପରେ ଭାରତକୁ ହରାଇଦିଏ ତେବେ ସେ ଖେଳାଳିଙ୍କୁ ବ୍ଲାଙ୍କ ଚେକ୍ ପ୍ରଦାନ କରିବେ । ରମିଜ୍ କହିଛନ୍ତି, ତାଙ୍କୁ ପାକିସ୍ତାନର ଜଣେ ବଡ ବ୍ୟବସାୟୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବିଶ୍ୱ କପରେ ଦୁଇ ଦଳ ୧୨ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ୭ ଥର ଦିନିକିଆ ବିଶ୍ୱ କପ୍ ଏବଂ ୫ ଥର ଟି-୨୦ ବିଶ୍ୱ କପରେ ଦୁଇ ଦଳ ପରସ୍ପର ବିରୋଧରେ ଖେଳିଛନ୍ତି । ହେଲେ ବିଶ୍ୱକପରେ ଆଜି ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ହରାଇ ପାରି ନାହିଁ ।

ରମିଜ୍ ରାଜା ଇଣ୍ଟର ପ୍ରୋଭିନସୟଲ କୋଅଡିନେସ(ଆଇପିସି)ର ସିନେଟରେ ସ୍ଥାୟୀ ସମିତି ବୈଠକରେ କହିଛନ୍ତି, ଜଣେ ବଡ ନିବେଶକ ମୋତେ ଏହା କହିଛନ୍ତି ଯେ, ପିସିବି ପାଇଁ ଏକ ବ୍ଲାଙ୍କ ଚେକ୍ ପ୍ରସ୍ତୁତ ଅଛି । ଯଦି ପାକିସ୍ତାନ ଆଗାମୀ ଟି-୨୦ ବିଶ୍ୱ କପରେ ଭାରତକୁ ହରାଇବାରେ ସଫଳ ହୁଏ ତେବେ ସେ ଏହି ବ୍ଲାଙ୍କ ଚେକ୍ ପିସିବିକୁ ପ୍ରଦାନ କରିବେ । ରମିଜ୍ ଏହା ମଧ୍ୟ କହିଛନ୍ତି, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତ ଏଥିପାଇଁ ବାତିଲ୍ କଲେ କାରଣ ପିସିବି ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ ।

ରମିଜ କହିଛନ୍ତି, ପିସିବି ୫୦ ପ୍ରତିଶତ ଆଇସିସି ଫଣ୍ଡିଂରୁ ଚାଲିଥାଏ । ଅନ୍ୟପଟେ ଆଇସିସିକୁ ୯୦ ପ୍ରତିଶତ ଫଣ୍ଡ ଭାରତରୁ ମିଳିଥାଏ । ମୋତେ ଏହି ଭୟ ରହିଛି ଯେ, ଯଦି ଭାରତ ଆଇସିସିକୁ ଫଣ୍ଡିଂ କରିବା ବନ୍ଦ କରି ଦିଏ ତେବେ ପିସିବି ସଂପୂର୍ଣ୍ଣ ଭାବେ ସମାପ୍ତ ହୋଇପାରେ । ପିସିବି ଆଇସିସିକୁ ୦ ଫଣ୍ଡିଂ କରିଥାଏ । ମୁଁ ପିସିବିକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧ ବୋଲି ରମିଜ୍ ରାଜା କହିଛନ୍ତି ।

Get real time updates directly on you device, subscribe now.