fbpx

ରଥଖଳା ଅପଡେଟ୍…ତୁମ୍ବ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ୱକର୍ମା, ତିଆରି ହେବ ୪୨ ତୁମ୍ବ

Advertisement

ପୁରୀ, (ଭାସ୍କର ନ୍ୟୁଜ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି  । ଗତ ଅକ୍ଷୟ ତୃତୀୟ ଠାରୁ ରଥକାଠ ଅନୁକୂଳ ପରେ ତହିଁ ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ଥିବା ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ  । ବିଶ୍ୱକର୍ମା ମହାରଣାମାନେ ଦିନରାତି ଏକ କରି ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି  । ଏହି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁ ରହିଥିବାବେଳେ ଶନିବାର ରଥଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ ସିଂ  । ୩ ରଥ ପାଇଁ ଚକ ପ୍ରସ୍ତୁତିର ଅୟମାରମ୍ଭ କରାଯାଇଥିବା ବେଳେ ତୁମ୍ବ କାଠ ଚିରଟ ଆରମ୍ଭ ହୋଇଛି  ।

ପ୍ରାଥମିକ ଭାବେ ୪୨ଟି ତୁମ୍ବ ନିର୍ମାଣ କରାଯିବ  । ୩ ରଥର ତୁମ୍ବ କାଠ ଚିରଟ କରାଯାଇ ସୂତାବାଡ଼ିଆ ଯିବ  । ପରେ ଏଥିରେ ବିନ୍ଧ କରାଯାଇ ଅର ଖଞ୍ଜାଯିବ ଓ ଚକ ପ୍ରସ୍ତୁତ ହେବ  । ମହାରଣା, ଭୋଇ ଓ କରତି ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି  । କରତି ସେବକମାନେ ୨୦ଟି ତୁମ୍ବଗଡ଼ କାଟିଛନ୍ତି  । ଭୋଇ ସେବକମାନେ ତାଳଧ୍ୱଜ ଚାଳିକୁ ୮ଟି, ନନ୍ଦିଘୋଷ ଚାଳିକୁ ୭ଟି ଓ ଦେବୀରଥ ଚାଳିକୁ ୫ଟି ତୁମ୍ବକାଠ ଦେଇଥିଲେ  । କାର୍ଯ୍ୟ ଶେଷବେଳକୁ ତାଳଧ୍ୱଜ ଓ ଦେବୀ ରଥର ୪ଟି ଲେଖାଏଁ ଓ ନନ୍ଦିଘୋଷର ୫ଟି ପତୁମ୍ବ ଗୋଲେଇ ସରିଥିବା ସୂଚନା ମିଳିଛି  ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ବିନା କଟକଣାରେ ଅନୁଷ୍ଠିତ ହେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି  । ଯଦି କଟକଣାଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ ତେବେ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି  । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ସେନେଇ ମାନସ ମନ୍ଥନ ଚାଲୁ ରହିଛି  ।

Get real time updates directly on you device, subscribe now.