fbpx

ରଥ ପଥ ସବୁ ଜଗନ୍ନାଥମୟ : ଆଜି ରତ୍ନବେଦୀରୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ

ପୁରୀ,(ଭାସ୍କର ନ୍ୟୁଜ୍‌) : ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯିବା ପାଇଁ ମହାପ୍ରଭୁ ବେଶ୍‌ ଉତ୍ସାହିତ ହୋଇପଡ଼ିଥିବା ବେଳେ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ରଥ ପ୍ରତିଷ୍ଠା ପରେ ୩ ରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତି ।

କରୋନା ସଂକ୍ରମଣ ପାଇଁ ଦୁଇ ବର୍ଷ ପରେ ଭକ୍ତ ଆଉ ଭଗବାନଙ୍କ ମିଳନ ହେବାକୁ ଯାଉଛି । ଗୁରୁବାର ପୂର୍ବାହ୍ଣରେ ରଥଖଳାରେ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହେବା ପରେ ୩ ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଗତ ବୁଧବାର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି ସୌଭାଗ୍ୟଲାଭ କରିଥିବାବେଳେ ଗୁରୁବାର ମଧ୍ୟ ଉଭାଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ଗୁଣ୍ଡିଚା ଯାତ୍ରା ଦିନ ମହାପ୍ରଭୁଙ୍କ ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଏହି ଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ମହାପ୍ରଭୁଙ୍କ ଏହି ଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିନେଇ ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ଦମ୍‌ ଲଗାଇ ଦେଇଛନ୍ତି ।  ଶ୍ରୀକ୍ଷେତ୍ରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କନୱର ବିଶାଲ ସିଂ । ସେ କହିଛନ୍ତି ସାରା ପୁରୀ ସହରକୁ ସିସିଟିଭି ନଜରରେ ରଖିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ୧୮୦ ପ୍ଲାଟୁନ୍‌ ଫୋସ୍‌ ମୁତୟନ କରାଯିବା ସହ ୧୮ ଜଣ ଏସ୍‌ପି ର‌୍ୟାଙ୍କ୍‌ର ଅଧିକାରୀ ଓ ୭୪ ଜଣ ଡିଏସ୍‌ପିଙ୍କ ସମେତ ବହୁ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଏହା ବ୍ୟତୀତ ଏସ୍‌ଓଜି, ଏନ୍‌ଡିଆର୍‌ଏଫ୍‌ ଓ ସ୍ପେଶାଲ୍‌ ଟାକ୍ଟିକାଲ ଗ୍ରୁ୍‌କୁ ମଧ୍ୟ ନିୟୋଜିତ କରାଯାଇଛି ।

ଏବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଆସୁଥିବା ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ରହିଛି ସେମାନେ ପୁରୀ ନ ଆସିବାକୁ ପରାମର୍ଶ ଦିଆଯାଇଛି । ରଥ ଟଣା ପାଇଁ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟ ସ୍ଥିର କରାଯାଇଛି । ୯ଟାରେ ରଥ ପ୍ରତିଷ୍ଠା ପାଇଁ ସମୟ ନିର୍ଘଣ୍ଟ କରାଯାଇଥିବାବେଳେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅପରାହ୍ଣ ୨ଟା ୩୦ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ପାଇଁ ସ୍ଥିର ହୋଇଥିବାବେଳେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ମାଳତୀ ପାଟପୁର ବସ୍‌ଷ୍ଟାଣ୍ଡରେ ରହି ଯିବାସିବା କରିବେ । ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ଗୁଡ଼ିକ ମାଳତୀ ପାଟପୁର ଆର୍‌ଓବି ଦେଇ ତାଳବଣିଆରେ ପାର୍କିଂ କରିବା ସହ ଯିବାସିବା କରିବେ । ସେହିରି ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନଗୁଡ଼ିକ ମାଳତୀପାଟପୁର ଆର୍‌ଓବି ଦେଇ ଆଇଟିଆ, ଇଣ୍ଡୋର ଷ୍ଟାଡିୟମ୍‌ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପାର୍କିଂ କରିବେ । ପାସ୍‌ ଥିବା ଯାନବାହାନଗୁଡ଼ିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍‌, ଷ୍ଟର୍ଲିଂ ରୋଡ୍‌ ଓ ପରେ ଲୋକନାଥ ରୋଡ୍‌ ଦେଇ ଛପନ ଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ ଠାରେ ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦି କୁମାର ଅମାତ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ପରେ ଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟର ବିକାଶଧାରାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିବାରୁ ଏହା ଦର୍ଶକମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀ ଆଜିଠାରୁ ଆସନ୍ତା ଜୁଲାଇ ୯ ତାରିଖ (ବାହୁଡ଼ାଯାତ୍ରା) ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲାରହିବ ।

Get real time updates directly on you device, subscribe now.