(Video) ରୁରକି IIT ଛାତ୍ରାବାସ ବିରୋଧରେ ସଂଗୀନ ଅଭିଯୋଗ, ପିଲାଙ୍କୁ ଦିଆଯାଉଛି ସଂକ୍ରମିତ ଖାଦ୍ୟ

ହରିଦ୍ୱାର: ଉତ୍ତରାଖଣ୍ଡର ପ୍ରତିଷ୍ଠିତ ଆଇଆଇଟି ଶିକ୍ଷାନୁଷ୍ଠାନ ବିରୋଧରେ ଗମ୍ଭୀର ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଦିଆଯାଉଛି ମୂଷା ସଂକ୍ରମିତ ଖାଦ୍ୟ, ରୋଷେଇ ଶାଳାରେ ପରିସ୍କାର ପରିଚ୍ଛନତାକୁ ଦିଆଯାଉନି ଗୁରୁତ୍ୱ । ହଷ୍ଟେଲ କିଚିନରେ ମୂଷା ବାସନରେ ଓ ଖାଦ୍ୟ ଖାଉଥିବା ବିଡିଓ ଭାଇରାଲ ହେଉଛି । ସେପଟେ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ରୁରକି ଆଇଆଇଟିର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ କି, ସେମାନଙ୍କୁ ମୂଷା ଅଇଁଠା ଦିଆଯାଉଛି, ଯାହା ସଂକ୍ରମିତ ହୋଇଛି । ଏହା ବ୍ୟତୀତ ହଷ୍ଟେଲ ରୋଷେଇଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ଅଭିଯୋଗ ମୁତାବକ, ୧୭ ଅକ୍ଟୋବରରେ, ୪୦୦ ଛାତ୍ର ରହୁଥିବା ଆଇଆଇଟିର ରାଧାକୃଷ୍ଣ ଭବନର ରୋଷଶାଳାକୁ ମଧ୍ୟାହ୍ନ ଭୋଜନ ପାଇଁ ପିଲା ଯାଇ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ କିଛି ରୋଷଶାଳା ଭିତରକୁ ଚାଲିଯାଇଥିଲେ । ସେମାନେ ସେଠାରେ ଦେଖିବାକୁ ପାଇଥିଲେ କି, ଗୋଟିଏ ପାତ୍ରରେ ଥିବା ପାଣିରେ ଗୋଟିଏ ମୂଷା ପଡିଥିବା ବେଳେ କଡେଇରେ ଥିବା ତରକାରୀକୁ ଦୁଇଟି ମୂଷା ଆରାମରେ ଖାଉଛନ୍ତି ।

ଏହା ଦେଖି ଛାତ୍ରମାନେ ତାର ଭିଡିଓ କରିଥିଲେ ଓ ଖାଦ୍ୟ ନ ଖାଇ ଚାଲିଯାଇଥିଲେ । ସେମାନେ ଏହାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାକୁ ସୋସିଆଲ ମିଡିଆରେ ମଧ୍ୟ କିଛି ଛାତ୍ର ପୋଷ୍ଟ କରିଥିଲେ । ଛାତ୍ରଙ୍କ ଅଭିଯୋଗ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟ ସମାଗ୍ରୀର ନମୁନା ସଂଗ୍ରହ କରିଛନ୍ତି ପରୀକ୍ଷା ପାଇଁ ।

ତେବେ ଏହି ଭିଡିଓକୁ ନେଇ କର୍ତ୍ତୃପକ୍ଷ କହିଛନ୍ତି କି, ଏହା ବିଳମ୍ବିତ ରାତ୍ରୀର । ପିଲାମାନେ ଖାଦ୍ୟ ଖାଇ ଯାଇସାରିଥିଲେ ଓ ରୋଷଶାଳା ବନ୍ଦ ଥିଲା । ରୋଷଶାଳାର ପଛ ପାଖରେ ଥିବା ବାସନକୁସନ ଓ ଉଚିଷ୍ଟ ଖାଦ୍ୟକୁ ଖାଉଥିଲେ । ପିଲାଙ୍କ ଖାଦ୍ୟ ମୂଷା ଦ୍ୱାରା ସଂକ୍ରମିତ ହୋଇ ନାହିଁ । ତଥାପି ପିଲାଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ଚାଲିଛି ।