fbpx

CTS ପ୍ରଣାଳୀରେ ପରିବର୍ତ୍ତନ ଆଣିବ RBI: ଏଣିକି କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିଯିବ ଅର୍ଥ, ଆଉ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଚେକ୍ ଟ୍ରଙ୍କେସନ ସିଷ୍ଟମ (ସିଟିଏସ)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଏହି ପ୍ରଣାଳୀ ଲାଗୁ ହେବା ଫଳରେ ଚେକ୍ ମାତ୍ର କିଛି ଘଣ୍ଟା ମଧ୍ୟରେ କ୍ଲିୟର ହୋଇଯିବ । ପୂର୍ବରୁ କୌଣସି ଚେକ୍ କ୍ଲିୟରାନ୍ସ ପାଇଁ ୨-୩ ଦିନ ସମୟ ସମୟ ଲାଗୁଥିଲା । ମାତ୍ର ନୂଆ ପ୍ରକ୍ରିୟା ଲାଗୁ ହେବା ପରେ ସେଥିପାଇଁ ମାତ୍ର କିଛି ଘଣ୍ଟାର ସମୟ ଲାଗିବ । ଦେଶରେ ଚେକ୍ କ୍ଲିୟରାନ୍ସର ସମୟ କିଛି ଦିନରୁ ବଦଳି କିଛି ଘଣ୍ଟା ହୋଇଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ଏହି ପରିବର୍ତ୍ତିତ ତ୍ୱରିତ ପ୍ରକ୍ରିୟାକୁ ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି), ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ) ଓ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମପିଏସ ପରି ଅନ୍ୟ ଦ୍ରୁତ ପେମେଣ୍ଟ ବ୍ୟବସ୍ଥାର ସମକକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନର ସିଟିଏସ ବ୍ୟବସ୍ଥାରେ ଚେକକୁ ଭୌତିକ ଭାବେ ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ନେବା ଆଣିବା କରିବା ଫଳରେ ସମୟ ଅପଚୟ ହେଉଛି । ମାତ୍ର ନୂଆ ବ୍ୟବସ୍ଥାରେ ଅନେକ ଚ୍ୟାଲେଞ୍ଜକୁ ସରଳ କରାଯାଇଛି । ତା’ପରେ ବି ତାହା ବ୍ୟାଚ ପ୍ରୋସେସିଙ୍ଗ ମୋଡ଼ରେ କାମ କରୁଛି ।

ଏହି ବ୍ୟବସ୍ଥା ଲାଗୁ ହେଲେ ଗ୍ରାହକମାନେ କମ୍ ସମୟରେ ନିଜ ଆକାଉଣ୍ଟରେ ଧନରାଶି ଜମା ହେବାର ଆନନ୍ଦ ଉଠାଇ ପାରିବେ । ଫଳରେ ଆର୍ଥିକ ନେଣଦେଣ କ୍ଷେତ୍ରରେ ସରଳତା ଆସିବ । ଏହାକୁ କିପରି ଲାଗୁ କରାଯିବ ସେନେଇ ଆରବିଆଇ ପକ୍ଷରୁ ଏ ବାବଦରେ କୌଣସି ଗାଇଡଲାଇନ୍ସ ଜାରି କରାଯାଇ ନାହିଁ । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କର ଏହି ଘୋଷଣା ପରେ ଏବେ ଖାତାଧାରୀ ଓ ବିତ୍ତୀୟ ସଂସ୍ଥାମାନଙ୍କ ମଧ୍ୟରେ ଏହା ଏକ ଉତ୍ସାହ ସୃଷ୍ଟି କରିଛି ।

Get real time updates directly on you device, subscribe now.